fbpx

ପଶ୍ଚିମବଙ୍ଗରେ ବିକ୍ଷୋଭ ଯୋଗୁଁ ଟ୍ରେନ ବାତିଲ

ପଶ୍ଚିମବଙ୍ଗ, ୧୪ା୧୨: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ପଶ୍ଚିମବଙ୍ଗରେ ଆନ୍ଦୋଳନକାରୀଙ୍କ ବିକ୍ଷୋଭ ଯୋଗୁଁ ଟ୍ରେନ ସେବା ପ୍ରଭାବିତ ହୋଇଛି । ବିଭିନ୍ନ ରେଳ ଷ୍ଟେସନରେ ଜଳାପୋଡ଼ା, ଭଙ୍ଗାରୁଜା ଓ ଅବରୋଧ ହୋଇଥିବା ସୂଚନା ମିଳିଛି । ସଂକ୍ରାଏଲ, ମୌରିଗ୍ରାମ, ବାଙ୍କରା, ନୟାବାଜ ଓ ନଲପୁର ଷ୍ଟେସନରେ ହିଂସା କାଣ୍ଡ ଦେଖିବାକୁ ମିଳିଛି । ହାୱାଡ଼ାରୁ ଓଡ଼ିଶା ଦେଇ ଯାଇଥିବା ଟ୍ରେନ ବାତିଲ ହୋଇଛି । ସେହିପରି ଖଡ଼ଗପୁରରୁ ଓଡ଼ିଶା ଦେଇ ଯିବାକୁ ଥିବା ୭ଟି ଟ୍ରେନ ବାତିଲ ହୋଇଛି । ହାଓଡ଼ା-ତିରୁପତି ହମସଫର ଏକ୍ସପ୍ରେସ, ହାଓଡ଼ା-ଏର୍ଣ୍ଣାକୁଲମ ଅନ୍ତ୍ୟୋଦୟ ଏକ୍ସପ୍ରେସ , ହାଓଡ଼ା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ, ହାଓଡ଼ା-ଯଶୱନ୍ତପୁର ଦୂରନ୍ତ ଏକ୍ସପ୍ରେସ, ହାଓଡ଼ା-ହାଇଦ୍ରାବାଦ ଇଷ୍ଟ କୋଷ୍ଟ ଏକ୍ସପ୍ରେସ, ହାଓଡ଼ା-ପୁଣେ ଦୂରନ୍ତ ଏକ୍ସପ୍ରେସ, ଏହି ସମସ୍ତ ଏକ୍ସପ୍ରେସ ହାଓଡ଼ାରୁ ବାତିଲ ହୋଇଛି । ପୂର୍ବତଟ ରେଳବାଇ ବିଭାଗ ତରଫରୁ ଏନେଇ ସୂଚନା ମିଳିଛି ।

ଗତକାଲି ନାଗରିକତା ଆଇନକୁ ବିରୋଧ କରି ପଶ୍ଚିମବଙ୍ଗରେ ତୀବ୍ର ଅସନ୍ତୋଷ ଦେଖାଦେବା ସହ ଆନ୍ଦୋଳନକାରୀ ପୋଡ଼ାଜଳା କରିଥିଲେ । ମୂର୍ଶିଦାବାଦର ଏକ ରେଲୱେ ଷ୍ଟେସନରେ ନିଆଁ ଲଗାଇଥିଲେ ଆନ୍ଦୋଳନକାରୀ । ଏହାପୂର୍ବରୁ ସେହିପରି ଆସାମ ଓ ତ୍ରିପୁରାରେ ମଧ୍ୟ ସ୍ଥିତି ଅଣଆୟତ ହୋଇଥିଲା ।

ଏହି ବିଲ୍ ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଙ୍ଗଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ୍, ଖ୍ରୀଷ୍ଟିଆନ, ପାର୍ସୀ ଓ ଜୈନ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । କିନ୍ତୁ ସେଥିରେ ମୁସଲିମ ମାନଙ୍କୁ ନାଗରିକତା ଦିଆଯିବ ନାହିଁ ।

ଉଲ୍ଲେଖଯୋଗ୍ୟ ଯେ ନାଗରିକତା ସଂଶୋଧନ ବିଲ ଲୋକସଭାରେ ବହୁ ମତରେ ପାରିତ ହେବା ପରେ ରାଜ୍ୟସଭାରେ ମଧ୍ୟ ବହୁ ତର୍କ ବିତର୍କରେ ପରେ ମଧ୍ୟ ବିଲଟି ପାସ ହୋଇଥିଲା । ଗତକାଲି ମଧ୍ୟ ନାଗରିକତା ସଂଶୋଧନ ବିଲ ଉପରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ମୋହର ମାରିବା ପରେ ତାହା ଆଇନରେ ପରିଣତ ହୋଇଯାଇଛି । ଏନେଇ କେତେକ ଜାଗାରେ ଅସନ୍ତୋଷ ସହ ଅଶାନ୍ତି ମଧ୍ୟ ଦେଖା ଦେଇଛି ।

Get real time updates directly on you device, subscribe now.