ବଡ଼ ନିଷ୍ପତ୍ତି: କଟକରୁ ଉଠିଯିବ ୧୫୦ ବର୍ଷ ତଳର ମାଲଗୋଦାମ, ଖୁବଶୀଘ୍ର ରାଜ୍ୟ ସରକାରଙ୍କୁ ଦିଆଯିବ ପ୍ରସ୍ତାବ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୧୫୦ ବର୍ଷ ତଳୁ କଟକରେ ଗଢ଼ିଉଠିଥିଲା ବ୍ୟବସାୟିକ ପ୍ରତିଷ୍ଠାନ ମାଲଗୋଦାମ । ତେବେ ଏକ ଶତାବ୍ଦୀ ବର୍ଷର ପୁରୁଣା ଏହି ମାଲଗୋଦାମକୁ ନେଇ ଆସିଛି ଏକ ବଡ଼ ଖବର । ସମୟକ୍ରମେ ଯାନବାହାନ ଚଳାଚଳ ବଢ଼ିବା ସହିତ ବ୍ୟବସାୟୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସେଥିପାଇଁ ଏହାକୁ ଫୁଲନଖରାରୁ ମଙ୍ଗୁଳି ମଧ୍ୟରେ ଥିବା ଜାତୀୟ ରାଜପଥ କଡ଼କୁ ସ୍ଥାନାନ୍ତର କରିବାକୁ ବଣିକ ସଂଘ ନିଷ୍ପତ୍ତି ନେଇଛି ।

ତେବେ ନୂଆ ମାଲଗୋଦାମ ପାଇଁ ରୂପରେଖ ଚୂଡ଼ାନ୍ତ ହୋଇସାରିଛି । ଖୁବଶୀଘ୍ର ରାଜ୍ୟ ସରକାରଙ୍କୁ ବଣିକ ସଂଘ ପକ୍ଷରୁ ଏକ ପ୍ରସ୍ତାବ ଦିଆଯିବ ବୋଲି ଜଣାପଡ଼ିଛି । ୧୯୬୬ ମସିହା ନଅଙ୍କ ଦୁର୍ଭିକ୍ଷ ପରେ କଟକରେ ମାଲଗୋଦାମ ବସିଥିଲା । ପାଖାପାଖି ୬୦ ଏକର ଜମିରେ ତିଆରି ହୋଇଥିବା ଏହି ମାଲଗୋଦାମରେ ୫ଟି ଗୋଦାମ ଓ ୧୫ଟି ଦୋକାନ ରହିଥିଲା । ମାତ୍ର ଏବେ ଖୁଚୁରା ଦୋକାନ ଓ ଗୋଦାମକୁ ମିଶାଇ ପାଖାପାଖି ୭୮୦ରେ ପହଞ୍ଚି ଗଲାଣି ।

ମାଲଗୋଦାମକୁ ଦୈନିକ ପାଖାପାଖି ୪ ହଜାର ସାଧାରଣ ଲୋକ ଓ ବ୍ୟବସାୟୀ ଆସୁଛନ୍ତି । ଏଥିସହିତ ଛତିଶଗଡ଼, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ବିହାର, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ଭଳି ବାହାର ରାଜ୍ୟରୁ ଦୈନିକ ୫୦-୬୦ ଟ୍ରକ ମାଲ ନେଇ ଆସୁଛି । ଦିନକୁ ଦିନ ମାଲଗୋଦାମର କଳେବର ବୃଦ୍ଧି ପାଉଥିବା ବେଳେ ଲୋକଙ୍କର ଗମନାଗମନ ମଧ୍ୟ ବଢ଼ିବାରେ ଲାଗିଛି । କାଉଣ୍ଟର ଗୋଟିଏ ସ୍ଥାନରେ ରହିଥିବା ବେଳେ ଗୋଦାମ ଅଲଗା ଅଲଗା ସ୍ଥାନରେ ରହୁଛି । ତେଣୁ ବାହାର ରାଜ୍ୟରୁ ଆସୁଥିବା ଗାଡ଼ିଗୁଡ଼ିକ ସିଧାସଳଖ ଗୋଦାମ ନିକଟକୁ ଯିବାରେ ସମସ୍ୟା ସୃଷ୍ଟି ହେଉଛି ।

ଏଥିସହିତ ବର୍ଷା ହେଲେ ଜଳ ନିଷ୍କାସନ ସମସ୍ୟା କାରଣରୁ ୮-୧୦ ଲକ୍ଷ ଟଙ୍କାର ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ନଷ୍ଟ ହେଉଛି । ଖୁଚୁରା ବ୍ୟବସାୟୀମାନେ ମାଲଗୋଦାମରେ ରହିବେ ଓ ୨୦୦ ଛୋଟ ଗୋଦାମ ଓ ୧୦୦ ବଡ଼ ଗୋଦାମ ସ୍ଥାନାନ୍ତରିତ ହେବ । ନୂଆ ବ୍ୟବସାୟିକ ପ୍ରତିଷ୍ଠାନରେ ଗୋଟିଏ ସ୍ଥାନରେ କାଉଣ୍ଟର ସହିତ ଗୋଦାମ ଓ ଅଫିସ ନିର୍ମାଣ ହେବ । ଫଳରେ ଲୋଡିଂ / ଅନଲୋଡିଂରେ ସମସ୍ୟା ସୃଷ୍ଟି ହେବ ନାହିଁ । ଧାନ, ମୁଗ, କୋଳଥ ଚାଷୀଙ୍କ ପାଇଁ ମଣ୍ଡି ବ୍ୟବସ୍ଥା ହୋଇ ପାରିବ ।