fbpx

ଶିଶୁ ଗର୍ଭରେ ଥିଲେ ବି ତାହାର ବଞ୍ଚିବାର ଅଧିକାର ରହିଛି, ୨୬ ସପ୍ତାହର ଗର୍ଭାବସ୍ଥା ସମାପ୍ତ ଲାଗି କୋର୍ଟରେ ଦାଖଲ ମହିଳାଙ୍କ ଯାଚିକା ଉପରେ ଏପରି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଜଣେ ବିବାହିତା ମହିଳାଙ୍କ ୨୬ ସପ୍ତାହର ଗର୍ଭାବସ୍ଥାକୁ ସମାପ୍ତ କରିଦେବାକୁ ନେଇ ଦାଖଲ ହୋଇଥିବା ଯାଚିକା ଉପରେ ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି । ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଗଠିତ ବେଞ୍ଚ କହିଛନ୍ତି, ଗର୍ଭରେ ବଢୁଥିବା ଶିଶୁକୁ ସୁରକ୍ଷିତ ଭାବରେ ଜନ୍ମ ଦିଆଯିବା କଥା । କିନ୍ତୁ ଗର୍ଭାବସ୍ଥା ସମାପ୍ତ କରାଯିବା ସ୍ଥିତିରେ ଶିଶୁର ହୃଦସ୍ପନ୍ଦନକୁ ବନ୍ଦ କରିଦିଆଯାଏ ।

ଶିଶୁ ଗର୍ଭରେ ଥିଲେ ବି ତାହାର ବି ଅଧିକାର ରହିଛି । ମୁଖ୍ୟ ବିଚାରପତି କହିଛନ୍ତି ଗର୍ଭସ୍ଥ ଶିଶୁର ଅଧିକାରକୁ ବି ଆମକୁ ସନ୍ତୁଳିତ କରିବାକୁ ହେବ । ଏହି କ୍ଷେତ୍ରରେ ମା’ର ସ୍ୱାଧୀନତାର ବିଜୟ ହୋଇଥାଏ କିନ୍ତୁ ଏଠାରେ ଗର୍ଭସ୍ଥ ଶିଶୁ ସପକ୍ଷରେ କେହି ବି ଛିଡା ହୋଇ ନ ଥାଏ । ମୁଖ୍ୟ ବିଚାରପତି କହିଛନ୍ତି ଏହା କେବଳ ମାତ୍ର ଏକ ଭ୍ରୁଣ ନୁହେଁ ବରଂ ଏହା ଏକ ଜୀବିତ ଭ୍ରୁଣ ଯାହାର ବଞ୍ଚିବାର ଅଧିକାର ରହିଛି । ଦିଲ୍ଲୀ ନିବାସୀ ଜଣେ ମହିଳାଙ୍କ ଯାଚିକା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଏପରି ମତ ରଖିଛନ୍ତି ।

ଏହି ମହିଳା ଜଣକ ତାଙ୍କର ଗର୍ଭପାତ କରାଇବାକୁ ଏମ୍ସକୁ ଅନୁମତି ଦେବାକୁ ସର୍ବୋଚ୍ଚ ଅଦାଲତର ଦ୍ୱାରସ୍ଥ ହୋଇଥିଲେ । ମହିଳାଙ୍କ ଅଭିଯୋଗ ଥିଲା ତାଙ୍କର ପୂର୍ବରୁ ୨ଟି ସନ୍ତାନ ରହିଛନ୍ତି । ଏହି ତୃତୀୟ ଗର୍ଭାବସ୍ଥା ବିଷୟରେ ସେ ଅଜ୍ଞାତ ଥିଲେ । କାରଣ ସେ ଲାକ୍ଟେସନାଲ ଏମେନୋରିଆ ରୋଗରେ ପୀଡିତ । ତାଙ୍କର ଦ୍ୱୀତିୟ ଡେଲିଭରୀ ପରେ ଏବେ ତାଙ୍କର ପୋଷ୍ଟପାର୍ଟମ ଡିପ୍ରେସନର ଚିକିତ୍ସା ଚାଲୁଛି । ତାଙ୍କର ସବୁଠାରୁ ବଡ ସନ୍ତାନକୁ ଏବେ ୪ ବର୍ଷ ହୋଇଥିବା ବେଳେ ଛୋଟ ସନ୍ତାନକୁ ଏକ ବର୍ଷ ହୋଇଛି । ସେ ଆର୍ଥିକ କାରଣରୁ ମଧ୍ୟ ଗର୍ଭପାତ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ ।

ଏହି ମାମଲାରେ ମୁଖ୍ୟ ବିଚାରପତି କହିଛନ୍ତି, ଏହି ମାମଲା ଏକ ଯୌନ ହିଂସା କିମ୍ବା ନାବାଳିକା ଉପରେ ହିଂସା ମାମଲା ନୁହେଁ । ଏହା ଜଣେ ବିବାହିତା ମହିଳାଙ୍କ ମାମଲା ଯାହାଙ୍କର ପୂର୍ବରୁ ୨ଟି ସନ୍ତାନ ରହିଛନ୍ତି । ଏହି ମହିଳା ଗର୍ଭଧାରଣର ୨୬ ସପ୍ତାହ ପରେ ଗର୍ଭପାତ କରାଇବାକୁ ଚାହୁଁଛନ୍ତି । ପ୍ରଶ୍ନ ଉଠୁଛି ସେ ୨୬ ସପ୍ତାହ ପର୍ଯ୍ୟନ୍ତ କାହିଁକି ଅପେକ୍ଷା କଲେ । ଯଦି ୨୬ ସପ୍ତାହ ଅପେକ୍ଷା କଲେ ତେବେ ଆଉ ୨ ସପ୍ତାହ କାହିଁକି ଆଉ କିଛି ଦିନ ଅପେକ୍ଷା କରିପାରିବେ ନାହିଁ । କୋର୍ଟ କହିଛନ୍ତି ମହିଳାଙ୍କୁ ଶିଶୁକୁ ରଖିବାର ଆବଶ୍ୟକତା ନାହିଁ । କିନ୍ତୁ ନ୍ୟାୟିକ ଆଦେଶ ଜରିଆରେ ଶିଶୁକୁ କିପରି ମୃତ୍ୟୁ ଦଣ୍ଡ ଦିଆଯାଇପାରିବ ବୋଲି ମୁଖ୍ୟ ବିଚାରପତି କହିଛନ୍ତି ।

Get real time updates directly on you device, subscribe now.