fbpx

ସମଲିଙ୍ଗୀ ବିବାହକୁ ସୁପ୍ରିମକୋର୍ଟଙ୍କ ନା: ୫ ଜଣିଆ ଖଣ୍ଡପୀଠଙ୍କ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ନେଇ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି । ଅଦାଲତ ଏଥିପାଇଁ ଆଇନ ତିଆରି କରିପାରିବେ ନାହିଁ, ମାତ୍ର ତାହାକୁ ବ୍ୟାଖ୍ୟା କରିପାରିବେ ଓ ଲାଗୁ କରିପାରିବେ । କେନ୍ଦ୍ର ଓ ରାଜ୍ୟ ସରକାର ସମଲିଙ୍ଗୀଙ୍କୁ ନେଇ ଭେଦଭାବ ସମାପ୍ତ କରନ୍ତୁ । ଏଥିସହିତ ସେମାନଙ୍କୁ ଅଧିକାର ପ୍ରଦାନ ପାଇଁ ପଦକ୍ଷେପ ନେବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ବିବାହ ଏକ ମୌଳିକ ଅଧିକାର ନୁହେଁ । ଏହି ପ୍ରସଙ୍ଗରେ ଦେଶର ସଂସଦ ନିଷ୍ପତ୍ତି ନେଉ । ସଂସଦ ଆଇନ ନ ଆଣିବା ଯାଏ ଏନେଇ ସ୍ୱୀକୃତି ଦେଇ ହେବନି ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି ।

ତେବେ ଭାରତରେ ସମଲିଙ୍ଗୀ ବିବାହକୁ ନେଇ ବହୁ ଚର୍ଚ୍ଚ ଚାଲିଥିବା ବେଳେ ବିଶ୍ୱର ବିଭିନ୍ନ ଦେଶରେ ଏନେଇ କ’ଣ ଆଇନ ରହିଛି ସେନେଇ ସମସ୍ତେ ଜାଣିବା ନିହାତି ଆବଶ୍ୟକ । ସମଲିଙ୍ଗୀ ବିବାହକୁ ଦୁନିଆର ୩୪ଟି ଦେଶ ମାନ୍ୟତା ପ୍ରଦାନ କରିଛନ୍ତି । ଏପରିକି ୨୨ଟି ଦେଶ ମଧ୍ୟ ସେଥିପାଇଁ ସଠିକ୍ ଆଇନ ତିଆରି କରିଛନ୍ତି । ୨୪ଟି ଦେଶର ୫୩ ପ୍ରତିଶତ ବୟସ୍କ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ପ୍ରଦାନ ନେଇ ସମର୍ଥନ କରୁଥିବା ଏକ ସର୍ଭେରୁ ଜଣାପଡ଼ିଛି ।

ପାଖାପାଖି ୧୦ଟି ଦେଶର କୋର୍ଟ ସମଲିଙ୍ଗୀ ବିବାହକୁ ମାନ୍ୟତା ପ୍ରଦାନ କରିଛନ୍ତି । ସେହିପରି ୨୨ଟି ଦେଶରେ ଆଇନ ତିଆରି କରି ତାହାକୁ ସ୍ୱୀକୃତି ଦିଆଯାଇଛି । ଦକ୍ଷିଣ ଆଫ୍ରିକା ଓ ତାଇୱାନରେ କୋର୍ଟଙ୍କ ଆଦେଶ ପରେ ତାହାକୁ ବୈଧ ଭାବେ ଗ୍ରହଣ କରାଯାଇଛି । ଗତ ୨୦୦୧ରେ ନେଦରଲାଣ୍ଡ ସର୍ବପ୍ରଥମେ ଏହାକୁ ବୈଧ ଭାବେ ଗ୍ରହଣ କରିଥିଲା । ପାଖାପାଖି ୬୪ଟି ବଡ଼ ଦେଶରେ ଏହାକୁ ସ୍ୱୀକୃତି ମିଳିନଥିବା ବେଳେ ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି । ଏପରି ଦେଶମାନଙ୍କରେ ରିଲେସନଶିପକୁ ଅପରାଧ ଭାବେ ଗ୍ରହଣ କରାଯିବା ସହିତ ମୃତ୍ୟୁଦଣ୍ଡ ମଧ୍ୟ ମିଳିଥାଏ । ବିଶ୍ୱର ୧୭ ପ୍ରତିଶତ ଜନସଂଖ୍ୟା ରହୁଥିବା ୩୪ଟି ଦେଶରେ ଏହାକୁ ମାନ୍ୟତା ମିଳିଛି ।

Get real time updates directly on you device, subscribe now.