fbpx

World Cup-2023; ନେଦରଲାଣ୍ଡ ଆଗରେ ଘାଇଲା ହେଲାଣି ଦକ୍ଷିଣ ଆଫ୍ରିକା: ବିଜୟ ପାଇଁ ଦଳ କରୁଛି ସଂଘର୍ଷ

ନୂଆଦିଲ୍ଲୀ: ଶ୍ରୀଲଙ୍କା ଏବଂ ଅଷ୍ଟ୍ରେଲିଆକୁ ମାତ୍ ଦେଇଥିବା ଦକ୍ଷିଣ ଆଫ୍ରିକା ଆଜି ନେଦରଲାଣ୍ଡ ଆଗରେ ବେସାହାରା ହୋଇଛି । ବିଶ୍ୱକପରେ ସବୁଠୁ ସଫଳ ଦଳ ଭାବରେ ସ୍ଥାନ ପାଇଥିବା ଦକ୍ଷିଣ ଆଫ୍ରିକାର ବ୍ୟାଟର ଆଜି ନେଦରଲାଣ୍ଡ ବୋଲରଙ୍କ ଆଗରେ ଫେଲ ମାରିଛନ୍ତି । ଦଳ ୧୦୯ ରନ୍ ପୂରଣ କରିବା ପୂର୍ବରୁ ହିଁ ୬ଟି ମୂଲ୍ୟବାନ୍ ୱିକେଟ ହରାଇଛି ଦକ୍ଷିଣ ଆଫ୍ରିକା । ଡି.ଏଲ ମେଥଡ ଅନୁସାରେ, ୪୩ ଓଭରରେ ୨୪୬ ରନର ବିଜୟ ଲକ୍ଷ୍ୟ ପାଇଥିବା ବେଳେ ବାଭୂମା ସେନା ସଂଘର୍ଷ ଜାରି ରଖିଛି ।

ବର୍ଷା ଯୋଗୁଁ ମ୍ୟାଚ ୪୩ ଓଭର ବିଶିଷ୍ଟ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକାକୁ ୨୪୬ ରନର ବିଜୟ ଲକ୍ଷ୍ୟ ଦେଇଥିଲା ନେଦରଲାଣ୍ଡ । ଯାହାକୁ ପିଛା କରି ସଂଘର୍ଷ କରୁଛି ଦକ୍ଷିଣ ଆଫ୍ରିକା । ମାତ୍ର ୧୦୯ ରନ୍ ଭିତରେ ହିଁ ଦଳ ୬ଟି ୱିକେଟ ହରାଇ ସାରିଛି । ଅଷ୍ଟ୍ରେଲିଆ ଏବଂ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଲଗାତାର ଶତକ ହାସଲ କରୁଥିବା ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଅର୍ଡର ନେଦରଲାଣ୍ଡ ବୋଲରଙ୍କ ସାମନାରେ ଫିକା ପଡ଼ିଛି । ଦଳର ଶତକବୀର ମଧ୍ୟ ନେଦରଲାଣ୍ଡର ବୋଲରଙ୍କ ବିପକ୍ଷରେ ଅର୍ଦ୍ଧଶତକ ବି ପୂରଣ କରିବାରେ ବିଫଳ ହୋଇଛନ୍ତି । ସାଉଥ ଆଫ୍ରିକାର ଡାଭିଡ ମିଲର ଗୋଟିଏ ପକ୍ଷରେ ବିଜୟ ପାଇଁ ଲଢୁଥିବା ବେଳେ ଅନ୍ୟ ପକ୍ଷରେ ଦଳ ଲଗାତାର ୱିକେଟ ହରାଇ ଚାଲିଛି । ୨୭ ଓଭର ସୁଦ୍ଧା ଦକ୍ଷିଣ ଆଫ୍ରିକା ମାତ୍ର ୧୨୩ ରନ୍ କରିଥିବା ବେଳେ ୬ଟି ୱିକେଟ ହରାଇଛି । ନେଦରଲାଣ୍ଡକୁ ବିଶ୍ୱକପର ସବୁଠାରୁ ଦୁର୍ବଳ ଟିମ୍ ବୋଲି କୁହାଯାଉଥିବା ବେଳେ ଆଜି ସର୍ବଶ୍ରେଷ୍ଠ ବ୍ୟାଟିଂ ଅର୍ଡର ଥିବା ଟିମକୁ ନାକରେ କନ୍ଦାଇଛି ନେଦରଲାଣ୍ଡ ।

ଦକ୍ଷିଣ ଆଫ୍ରିକାର ଷ୍ଟାର ବ୍ୟାଟର କ୍ୱିଣ୍ଟନ ଡି’କକ୍, ଏଡେନ ମାର୍କରମ୍ ଏବଂ ହେନରୀ କ୍ଲାସେନ ପ୍ରମୁଖ ବ୍ୟାଟ୍ସମ୍ୟାନ ଶସ୍ତାରେ ପାଭିଲିୟନ ଫେରିଛନ୍ତି । ନେଦରଲାଣ୍ଡ ପକ୍ଷରୁ ରୋଲେଫ ଭାନ୍ ଡର୍ ମରୱି ଏବଂ ପଲ, ଭାନ୍ ମିକେରନ୍ ୨ଟି ଲେଖାଏଁ ସଫଳତା ହାସଲ କରିଥିବା ବେଳେ ଲୋଗାନ୍ ଭାନ୍ ବିକ୍ ଏବଂ କଲିନ୍ ଆକରମେନ୍ ଗୋଟିଏ ଗୋଟିଏ ସଫଳତା ହାସଲ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ୧୬ ଓଭରରେ ୧୨୩ ରନ ଆବଶ୍ୟକ ରହିଛି ।

Get real time updates directly on you device, subscribe now.