fbpx

ସମୁଦ୍ରକୂଳିଆ ଅଞ୍ଚଳର ବିଦ୍ୟୁତ ଭିତ୍ତିଭୂମି ସୁଦୃଢ଼ ହେବ: ଓଡ଼ିଶା ସମେତ ୧୩ଟି ରାଜ୍ୟକୁ NDMAର ଚିଠି, ବାତ୍ୟା ମୁକାବିଲା ପାଇଁ ଦୀର୍ଘସୂତ୍ରୀ ଯୋଜନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨୦୨୧ ମସିହାର ବାତ୍ୟା ‘ୟଶ’ର କ୍ଷୟକ୍ଷତି ଜନିତ ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସିଥିଲେ । ସେହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ମୁକାବିଲା ପାଇଁ ଏକ ଦୀର୍ଘସୂତ୍ର ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଥିଲେ । ବାତ୍ୟା କ୍ଷୟକ୍ଷତିର କ୍ଷତିପୂରଣ ରାଶି ମାଗିନଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଉକ୍ତ ପ୍ରସ୍ତାବର ଦୀର୍ଘସୂତ୍ରୀ ଯୋଜନାରେ ପ୍ରଥମେ ବାତ୍ୟା ସହନଶୀଳ ବିଦ୍ୟୁତ ବ୍ୟବସ୍ଥା ରହିଥିଲା ।

ଉପକୂଳବର୍ତ୍ତୀ ଅଞ୍ଚଳକୁ ସମୁଦ୍ରର ଜୁଆର ମାଡ଼ି ଆସିବା ଫଳରେ ଅନେକ କ୍ଷତି ଘଟି ଘଟିଥାଏ । ତେଣୁ ଉପକୂଳର ସୁରକ୍ଷା ପାଇଁ ପ୍ରଥମେ ଉନ୍ନତ ଟେକ୍ନୋଲୋଜି ଓ ଅଣ୍ଡର ଗ୍ରାଉଣ୍ଡ କେବୁଲିଂ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ । ବାତ୍ୟା ସମୟରେ ୭-୮ ମିଟର ପର୍ଯ୍ୟନ୍ତ ସମୁଦ୍ରର ଜୁଆର ମାଡ଼ି ଆସିଥାଏ । ତେଣୁ ତା’ର ଦୀର୍ଘକାଳୀନ ବ୍ୟବସ୍ଥା ନିହାତି ଜରୁରୀ ବୋଲି ନବୀନ କହିଥିଲେ । ତେବେ ଖୁସିର କଥା ହେଉଛି, ମୁଖ୍ୟମନ୍ତ୍ରୀ ଉକ୍ତ ପ୍ରସ୍ତାବ ଏବେ ଦେଶ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଛି । ଜାତୀୟ ବିପର୍ଯ୍ୟୟ ପ୍ରଶସନ କର୍ତ୍ତୃପକ୍ଷ (ଏନଡିଏମଏ) ଓଡ଼ିଶା ସମେତ ୧୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି ଉପକୂଳ ଅଞ୍ଚଳରେ ବିଦ୍ୟୁତ ଭିତ୍ତିଭୂମି ସୁଦୃଢ଼ୀକରଣ ପାଇଁ ପରାମର୍ଶ ଲୋଡ଼ିଛନ୍ତି ।

ଓଡ଼ିଶା, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ତାମିଲନାଡ଼ୁ, ମହାରାଷ୍ଟ୍ର, କେରଳ, ଗୋଆ, ଗୁଜରାଟ, କର୍ଣ୍ଣାଟକ, ପୁଡୁଚେରୀ, ଲାକ୍ଷାଦ୍ୱୀପ, ଡାମନ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଆଦି ରାଜି ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ଏନଡିଏମଏ ପକ୍ଷରୁ ଚିଠି ଲେଖାଯାଇଛି । ନିଜ ନିଜ ରାଜ୍ୟର ସମୁଦ୍ରକୂଳବର୍ତ୍ତୀ ଅଞ୍ଚଳରେ ବିଦ୍ୟୁତ ଭିତ୍ତିଭୂମି ସୁଦୃଢ଼ କରିବାକୁ ପ୍ରସ୍ତାବ ଓ ଯୋଜନା ସମ୍ପର୍କରେ ପରାମର୍ଶ ଲୋଡ଼ାଯାଇଛି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପକ୍ଷରୁ ପ୍ରସ୍ତାବ ମିଳିବା ପରେ ଜାତୀୟ ବାତ୍ୟା ବିପଦ ହ୍ରାସ ପ୍ରକଳ୍ପ (ଏନସିଆରଏମପି) ସ୍ଥାୟୀ ଭିତ୍ତିଭୂମି ବିକାଶ ଲକ୍ଷ୍ୟରେ କାର୍ଯ୍ୟ କରିବ ବୋଲି କୁହାଯାଇଛି । ସମୁଦ୍ର କୂଳରୁ ୨୦ କିମି ଦୂରତା ମଧ୍ୟରେ ଥିବା ସହର ଓ ଟାଉନ ଆଦିରେ ୬୬ କେଭି ଓ ତା’ଠାରୁ କମ୍ ବିଦ୍ୟୁତ ସଞ୍ଚରଣ ପାଇଁ ବିତରଣ ବ୍ୟବସ୍ଥାକୁ କିପରି ବାତ୍ୟା ସହନଶୀଳ କରାଯିବ ସେନେଇ ଚିଠିରେ ଉଲ୍ଲେଖ କରାଯାଇଛି ।

Get real time updates directly on you device, subscribe now.