ଯୁବତୀମାନେ ଯୌନ ଆବେଗକୁ ନିୟନ୍ତ୍ରଣରେ ରଖିବା ସହିତ ଯୁବକମାନେ ମହିଳାଙ୍କ ଶାରୀରିକ ସ୍ୱତନ୍ତ୍ରତାକୁ ସମ୍ମାନ କରିବା ଉଚିତ, ହାଇକୋର୍ଟଙ୍କ ଟିପ୍ପଣୀ
କୋଲକାତା: କୋଲକାତା ହାଇକୋର୍ଟ ଏକ ମାମଲାର ଶୁଣାଣୀ ସମୟରେ ସମାଜର ଯୁବବର୍ଗଙ୍କ ଉଦ୍ଦେଶ୍ୟରେ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ରଖିଛନ୍ତି । କୋର୍ଟ କହିଛନ୍ତି ଯୁବତୀମାନେ ନିଜର ଯୌନ ଇଚ୍ଛାକୁ ନିୟନ୍ତ୍ରଣରେ ରଖିବା ଉଚିତ । ଅନ୍ୟପକ୍ଷରେ ଯୁବକମାନେ ଯୁବତୀ ଓ ମହିଳାଙ୍କ ଗାରିମା ଓ ଶାରୀରିକ ସ୍ୱତନ୍ତ୍ରତାକୁ ସମ୍ମାନ କରିବା ଉଚିତ । ବିଚାରପତି ଚିତ୍ତରଞ୍ଜନ ଦାସ ଓ ବିଚାରପତି ପାର୍ଥ ସାରଥୀ ସେନ୍ଙ୍କ ଖଣ୍ଡପୀଠ ଏକ ମାମଲାରେ ଜଣେ ଯୁବକଙ୍କୁ ମୁକ୍ତ କରିବା ଅବସରରେ ଏପରି ଟିପ୍ପଣୀ ରଖିଛନ୍ତି । ସଂପୃକ୍ତ ଯୁବକଙ୍କୁ ଜଣେ ନାବାଳିକା ସହ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା ଯାହା ସହ ତାଙ୍କର ପ୍ରେମ ସମ୍ବନ୍ଧ ଥିଲା ।
କୋର୍ଟ ଯୌନ ଅପରାଧରେ ନାବାଳକ ନାବାଳିକାଙ୍କ ସଂରକ୍ଷଣ ଅଧିନିୟମ ପୋକ୍ସୋକୁ ନେଇ ମଧ୍ୟ ଚିନ୍ତା ବ୍ୟକ୍ତ କରିଛନ୍ତି ଯେଉଁଥିରେ କିଶୋରଙ୍କ ସହ ସହମତି ଭିତ୍ତିରେ ରଖାଯାଉଥିବା ସମ୍ବନ୍ଧକୁ ଯୌନ ଶୋଷଣ ସହ ଯୋଡି ଦିଆଯାଉଛି । କୋର୍ଟ ୧୬ ବର୍ଷରୁ ଅଧିକ ବୟସର କିଶୋରଙ୍କ ମଧ୍ୟରେ ସହମତି ଭିତ୍ତିରେ ରଖାଯାଉଥିବା ସମ୍ବନ୍ଧକୁ ଅପରାଧ ଶ୍ରେଣୀରୁ ହଟାଇବାକୁ ଆହ୍ୱାନ କରିଛନ୍ତି । ଏହା ସହିତ କୋର୍ଟ ଅଧିକାର ଆଧାରିତ ଯୌନ ଶିକ୍ଷାକୁ ବି ଆହ୍ୱାନ କରିଛନ୍ତି ।
କୋର୍ଟ କହିଛନ୍ତି ଖରାପ ଜିନିଷ ଦେଖିବା, କାମୁକ ଘଟଣା ବିଷୟରେ ପଢିବା ଓ ବିପରୀତ ଲିଙ୍ଗଙ୍କ ସହ କଥାବାର୍ତ୍ତା ଦ୍ୱାରା ଉତ୍ତେଜନା ବଢିଥାଏ । କୋର୍ଟ କହିଛନ୍ତି ଆମର ଭୁଲ୍ କାର୍ଯ୍ୟଶୈଳୀ ଲାଗି ଯୌନ ଆବେଗ ସୃଷ୍ଟି ହୋଇଥାଏ । କୋର୍ଟ କାମୁକତା ସହ ଜଡିତ ପ୍ରସଙ୍ଗରେ କିଶୋରଙ୍କ ମାର୍ଗଦର୍ଶନ ଓ ଶିକ୍ଷିତ କରାଯିବାର ମହତ୍ତ୍ୱ ଉପରେ ଜୋର ଦେଇଛନ୍ତି । କୋର୍ଟ କହିଛନ୍ତି ଏହାର ଆରମ୍ଭ ଘର ପରିବାରରୁ ହିଁ ହେବା ଉଚିତ । ମାତା ପିତା ଏ କ୍ଷେତ୍ରରେ ପ୍ରଥମ ଶିକ୍ଷକ ହେବା ଉଚିତ ।