ଆଉ ଶୁଭୁନାହିଁ ‘କୁଆଁର ପୁନେଇ ଜହ୍ନଲୋ…’ଗୀତ; ରିଲ୍ସ ଓ ଫଟୋରେ ସାଇତା ହେଉଛି ସୃତି

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଏକଥା ହେଉଛି ଏକବିଂଶ ଶତାବ୍ଦୀରେ ଜୀଉଁଥିବା କିଛି ପୁରୁଣା ମଣିଷ ମାନଙ୍କର । ହଜିଯାଉଥିବା ପରମ୍ପରା କୁ ଆବୁରି ଧରିବାକୁ ଆଉ ବଳ ନଥିବା ମଣିଷଙ୍କର । ଦିନ ଥିଲା ଯିଏ ନିଜର ପରମ୍ପରାକୁ ଗୁରୁତ୍ୱ ଦେଉଥିଲା ଆଉ ଏସବୁକୁ ପ୍ରାଣଭରି ଭଲପାଉଥିଲା । ଆଜି ସେ ଦିନ ନାହିଁ କି ସେ ଲୋକ ବି ନାହାଁନ୍ତି । ଆମେ କହୁଛୁ ଏବେକା ପିଢ଼ିର ପିଲାଙ୍କ କଥା । ଯିଏ ପୁରାଣ କଣ ଜାଣନ୍ତିନି କି ପୂଜାପାର୍ବଣର ବିଧି ବିଧାନ ବି ଜାଣନ୍ତିନି । ଆଧୁନିକତାର ବଶବର୍ତ୍ତୀ ହୋଇ ନିଜର ପରମ୍ପରାକୁ ଭୁଲି ଯାଉଥିବା ବେଳେ ପାଶ୍ଚାତ୍ୟ ସଂସ୍କୃତିକୁ ଆପଣାଉଛନ୍ତି ।

ଆଜି ହେଉଛି କୁମାର ପୂର୍ଣ୍ଣିମା ଓଡ଼ିଶାର ଏକ ଗଣପର୍ବ । ଏହି ପର୍ବକୁ ସାଧାରଣତଃ କୁମାରୀମାନେ କରିଥାନ୍ତି । ସକାଳୁ ଉଠି ତୁଳସୀ ଚଉରାକୁ ସଫାକରି ସଜ୍ଜିତ କରି ଚନ୍ଦ୍ର, ସୂର୍ଯ୍ୟ ଓ କାର୍ତ୍ତିକଙ୍କର ପୂଜା ଆରାଧନା କରି ନିଜର ସୁଖ, ସୌଭାଗ୍ୟ, ଯଶ, ଧନ ଓ ସୁନ୍ଦର ଜୀବନ ସାଥୀର କାମନା କରିଥାନ୍ତି । ଆଉ ସେଥିପାଇଁ କେତେ ଦିନରୁ ବିଭିନ୍ନ ପ୍ରସ୍ତୁତି ବି କରିଥାନ୍ତି । “କୁଆଁର ପୁନେଇ ଜହ୍ନଲୋ ଫୁଲ ବଉଳ ବେଣୀ” ଗୀତକୁ ଗାଇଥାନ୍ତି କୁଆଁରୀ ଝିଅ । ହେଲେ ଆଉ ଏଗୀତ ଶୁଭୁନାହିଁ, କି କାହା ପାଖରେ ସମୟ ନାହିଁ ଏସବୁକୁ ଶିଖିବା ପାଇଁ ।

ଆଉ କେତେକ କୁଆଁରୀ ଝିଅ ମାନେ ରହିଲେ ସେମାନେ କିଏ ପାଠପଢ଼ା ତ କିଏ ନିଜ ବ୍ୟକ୍ତିଗତ କାମରେ ବ୍ୟସ୍ତ ରହିଲେ । କିଛି ପିଲା ତ କେବଳ ରିଲ୍ସ ଆଉ ଫଟୋ ଉଠାଇବା ପାଇଁ କୁମାର ପୂର୍ଣ୍ଣିମାକୁ ପାଳନ କରୁଛନ୍ତି । ଏପୁରାଣର ଗୀତକୁ କହିଲେଣି ଇଏତ ସବୁ ପୁରୁଣା କଥା । ଏଠି ଏକ ପ୍ରଶ୍ନ ମନକୁ ଆସୁଛି, ସତରେ କଣ ପୁରୁଣା ହେଲାଣି ପୁରାଣ କଥା ?