ରାଷ୍ଟ୍ରପତି ପୁରସ୍କାର ପାଇବେ କଟକର ଦୀପା କିନ୍ନର, ଜାଣନ୍ତୁ ତାଙ୍କର କିଛି ସଂଘର୍ଷମୟ ଜୀବନ ବିଷୟରେ…

ଓଡିଶା ଭାସ୍କର; ଆଜି ଓଡିଶାରେ କିନ୍ନର ମାନେ ସ୍ୱାବଲମ୍ବୀ ହେବା ସହ ସାରା ଭାରତ ବର୍ଷରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଆଗରୁ ଅନେକ ପ୍ରତିଭାବାନ କିନ୍ନରଙ୍କୁ ନେଇ ଅନେକ ଚର୍ଚ୍ଚା ଲାଗିରହିଥିବା ବେଳେ ଏବେ ଆଉ ଜଣେ କିନ୍ନର ଚର୍ଚ୍ଚାକୁ ଆସିଛନ୍ତି। ଯାହାଙ୍କୁ ପୁରସ୍କୃତ କରିବା ପାଇଁ ଖୋଦ ମହାମହିମ ରାଷ୍ଟ୍ରପତି ନିମନ୍ତ୍ରଣ ପଠାଇଛନ୍ତି। ତେବେ ପିଏଚଡି ଡିଗ୍ରୀ ହାସଲ କରିଥିବା ପ୍ରଥମ କିନ୍ନର ଭାବେ ରାଷ୍ଟ୍ରପତି ପୁରସ୍କାର ପାଇବାକୁ ଯାଉଛନ୍ତି କଟକର ଦୀପା ସାହୁ। ଆସନ୍ତା ଡିସେମ୍ବର ୩୦ ତାରିଖରେ ରାଷ୍ଟ୍ରପତି ଭବନରେ ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନିତ କରିବେ। ଏନେଇ ରାଷ୍ଟ୍ରପତି ଭବନରୁ ଚିଠି ଯୋଗେ ଦୀପାଙ୍କୁ ଅବଗତ କରାଯାଇଛି। ଯେଉଁ ଖବର ପାଇବା ପରେ କିନ୍ନର ସମାଜରେ ଖୁସିର ଲହରୀ ଖେଳିଯାଇଛି। ହେଲେ ଦୁଃଖ ଆଉ ବିଡ଼ମ୍ବନାର ବିଷୟ ଯେ ଦୀପା ସାହୁଙ୍କ କାହାଣୀ ସବୁଠୁ ଭିନ୍ନ।

ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ବେଳେ ଦୀପା ପୁଅରୁ ଝିଅ ଭଳି ବ୍ୟବହାର କରିଥିଲେ। ପରେ ଘର ପରିବାର ସାଙ୍ଗକୁ ସାହି ପଡିଶା ଠାରୁ ନାହିଁ ନଥିବାର ନିନ୍ଦା ଅପବାଦ ପାଇଲେ। ସେହିପରି ଧୀରେ ଧୀରେ ସମାଜ ଆଖିରେ ସେ ଘୃଣ୍ୟ ଏବଂ ତାତ୍ସଲ୍ୟର ଶିକାର ହୋଇଥିଲେ। ଶେଷରେ ବହୁ ଦୁଃଖ କଷ୍ଟ ଭିତରେ ଦୀପା ନିଜକୁ ନିଜ ହିସାବରେ ଗଢିବାକୁ ଆରମ୍ଭ କରିଥିଲେ। ସେ ଶିକ୍ଷାକୁ ପ୍ରାଧାନ୍ୟ ଦେଇ ସେ ପାଠ ପଢାକୁ କେବେ ହେଲେ ଛାଡି ନଥିଲେ। ସ୍କୁଲ, କଲେଜ ପାଠ ପଢା ପରେ ସେ ଉଚ୍ଚ ଶିକ୍ଷା ହାସଲ କରିବାକୁ ଦୃଢ଼ ମନୋବଳ ରଖିଥିଲେ।

ନିଜ ଲକ୍ଷ୍ୟକୁ ମଜଭୁତ କରି ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନରେ ପିଏଚଡି ଡିଗ୍ରୀ ହାସଲ କରିଛନ୍ତି। ଯାହାକୁ ନେଇ ସେ ଜଣେ ଉଚ୍ଚ ଶିକ୍ଷିତା କିନ୍ନର ଭାବେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। କିନ୍ତୁ ବିଡ଼ମ୍ବନାର ବିଷୟ ଯେ, ଆଠବର୍ଷ ତଳେ ଏକ ଦୁର୍ଘଟଣାର ଶିକାର ହୋଇ ଦୀପା ନିଜର ବାକ୍ ଶକ୍ତି ହରାଇଛନ୍ତି। ଗଳାରେ ଅସ୍ତ୍ରୋପଚାର ହୋଇଥିବା ସତ୍ତ୍ୱେ ବି ସେ କଥା କହି ପାରନ୍ତିନାହିଁ। ତେବେ ତାଙ୍କର ଏହି ସଂଘର୍ଷମୟ ଜୀବନ ଭିତରେ ସେ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ କରିବାକୁ ଯାଉଛନ୍ତି। ଯାହା ଶିକ୍ଷା କ୍ଷେତ୍ରରେ ତାଙ୍କ ମନୋବଳକୁ ଆହୁରି ମଜଭୁତ କରିବ ବୋଲି ସେ ଆଶା ରଖିଛନ୍ତି।