fbpx

T-20 ବିଶ୍ୱକପ ୨୦୨୪ ଖେଳିବେନି ବିରାଟ? BCCIର ବୈଠକ ପରେ ସାମ୍ନାକୁ ଆସିଲା ବଡ଼ ରିପୋର୍ଟ

ନୂଆଦିଲ୍ଲୀ: ଆଉ କିଛି ମାସ ପରେ ଟି-୨୦ ବିଶ୍ୱକପ ୨୦୨୪ ଅନୁଷ୍ଠିତ ହେବ । ତେବେ ଏହି ବିଶ୍ୱକପରେ କେଉଁମାନଙ୍କୁ ସ୍ଥାନ ମିଳିବ ସେନେଇ ବର୍ତ୍ତମାନ ସୁଦ୍ଧା କିଛି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ । ଏପରି ସ୍ଥିତିରେ ଦଳର ସିନିୟର ଖେଳାଳିମାନେ ସେଥିରେ ସାମିଲ ହେବେ କି ନା ସେନେଇ ଏବେ ଫ୍ୟାନ୍ସଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଯାଇଛି । ଏପରି ସ୍ଥିତିରେ ବରିଷ୍ଠ ଖେଳାଳି କିଙ୍ଗ କୋହଲିଙ୍କୁ ନେଇ ଆସିଛି ଏକ ବଡ଼ ଖବର ।

ସୂଚନା ମୁତାବକ, ବିରାଟ ଆସନ୍ତା ଟି-୨୦ ବିଶ୍ୱକପ ଖେଳି ନପାରନ୍ତି । ବର୍ତ୍ତମାନ ବିରାଟ ୩୫ ବର୍ଷ ବୟସରେ ଉପନୀତ ହୋଇସାରିଥିବା ବେଳେ ତାଙ୍କ ନିକଟରେ ଆହୁରି କିଛି ବର୍ଷର କ୍ରିକେଟ ବାକି ଅଛି । ବିରାଟ ଆସନ୍ତା ବିଶ୍ୱକପ ଖେଳିବାର ସମ୍ଭାବନା ନଥିବା ନେଇ ଏକ ରିପୋର୍ଟ ସାମ୍ନାକୁ ଆସିଛି । ଯଦି ଏପରି କିଛି ହୁଏ ତେବେ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ହେବାକୁ ଥିବା ଟି-୨୦ ବିଶ୍ୱକପରେ ଫ୍ୟାନ୍ସ ବିରାଟଙ୍କ ଜଲୱା ଦେଖିବାରୁ ବଞ୍ଚିତ ହେବେ ।

ଗତ ମାସ ୩୦ ତାରିଖରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ ଚୟନକର୍ତ୍ତାଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବୈଠକରେ ଟି-୨୦ ଅନ୍ତର୍ଜାତୀୟ କ୍ଷେତ୍ରରେ ବିରାଟଙ୍କ ଭବିଷ୍ୟତକୁ ନେଇ ଆଲୋଚନା ହୋଇଥିଲା । ତେବେ ବିରାଟ ଯଦି ବିଶ୍ୱକପ ନ ଖେଳନ୍ତି ତେବେ ଏହାକୁ ସହଜରେ କେହି ହଜମ କରିପାରିବେ ନାହିଁ । କାରଣ ବିରାଟ ଦିନିକିଆରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ବେଳେ ଟି-୨୦ରେ ତାଙ୍କର ଷ୍ଟ୍ରାଇକରେଟ୍ ୧୩୮ ରହିଛି । ଏଥିସହିତ ସେ ଗୋଟିଏ ଶତକ ଓ ୩୭ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ନିକଟରେ ସମାପ୍ତ ହୋଇଥିବା ଦିନିକିଆ ବିଶ୍ୱକପରେ ବିରାଟ ୭୦୦ରୁ ଅଧିକ ସଂଗ୍ରହ କରି ବିଶ୍ୱରେକର୍ଡ କରିବା ସହିତ ନିଜର ମଜବୁତ ଫର୍ମର ପରିଚୟ ଦେଇଥିଲେ । ବିରାଟ ଟି-୨୦ ବିଶ୍ୱକପ ଖେଳିବେ କି ନା ତାହା ଆଗକୁ ସ୍ପଷ୍ଟ ହୋଇଯିବ ।

Get real time updates directly on you device, subscribe now.