fbpx

ଆଜି ଲ୍ୟାଣ୍ଡଫଲ୍ କରିବ ‘ମିଗଜୋମ୍’ :୨ଦିନ ପାଇଁ ସ୍କୁଲ-କଲେଜ ଓ କର୍ପୋରେଟ୍ ଛୁଟି , ଆଜି ପାଇଁ ଓଡ଼ିଶାକୁ ଅରେଞ୍ଜ ଆଲର୍ଟ

ଚେନ୍ନାଇ/ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ମିଗଜୋମ୍’ ୫ ତାରିଖ ପୂର୍ବାହ୍ନରେ ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ତଟବର୍ତ୍ତୀ ଇଲାକାରେ ଲ୍ୟାଣ୍ଡଫଲ କରିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହା ଲ୍ୟାଣ୍ଡଫଲ ବେଳେ ଘଣ୍ଟାପ୍ରତି ପବନର ବେଗ ୯୦ରୁ ୧୧୦ କିଲୋମିଟର ରହିବା ଅନୁମାନ କରାଯାଇଛି ।

ଏହି ବାତ୍ୟାର ପ୍ରଭାବ ଓଡ଼ିଶା, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଓ ପୁଡୁଚେରୀ ଉପରେ ରହିବ । ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ ପୁଡୁଚେରୀରେ ସୋମବାର ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଥିବା ବେଳେ ତେଲଙ୍ଗାନାରେ ୫ ତାରିଖ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । ଓଡ଼ିଶାର ୫ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହି ରାଜ୍ୟଗୁଡ଼ିକରେ ଏନଡିଆରଏଫ ଓ ଏସଡିଆରଏଫକୁ ମୁତୟନ କରାଯାଇଛି ।

ବାତ୍ୟା ମିଗଜୋମର ବିଶେଷ ପ୍ରଭାବ ଓଡ଼ିଶାରେ ପଡ଼ିବ ନାହିଁ ବୋଲି ସୂଚନା ଦେଇଛନ୍ତି ଆଇଏମ୍ଡି ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି ଯେ ଓଡିଶାରେ ଅଳ୍ପ ପବନ ଓ ବେଶୀ ବର୍ଷା ହେବାର ସମ୍ଭାବନା ରହିଛି । ବାତ୍ୟା ମିଗଜୋମ ମଙ୍ଗଳବାର ଆନ୍ଧ୍ର ବାପାଟ୍ଲାରେ ଉପକୂଳ ଛୁଇଁବ । ସ୍ଥଳଭାଗ ଛୁଇଁ ଉପକୂଳରେ ସମାନ୍ତରାଳ ଭାବେ ଗତି କରିବ । ତେଣୁ ଦକ୍ଷିଣ, ଆଭ୍ୟନ୍ତର ଓଡ଼ିଶାରେ ପବନ କମ୍, ବର୍ଷା ଅଧିକ ହେବ ।

ସେ କହିଛନ୍ତି ଯେ ୪ ତାରିଖ ରାତିରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ । ୫ରୁ ବର୍ଷା ବଢ଼ିବ, କିଛି ଜାଗାରେ ପ୍ରବଳ ବର୍ଷା ହେବ, ୬ ତାରିଖରେ ମଧ୍ୟ ବର୍ଷା ଜାରି ରହିବ । ସେ କହିଛନ୍ତି ଯେ ବର୍ଷା ଅଧିକ ହେଲେ ବି ପବନ ବିଶେଷ ଅଧିକ ହେବ ନାହିଁ । ଓଡ଼ିଶାରେ ୩୫ରୁ ୪୫ କିମି ବେଗରେ ପବନ ବହିପାରେ । ବର୍ଷା ଓ ପବନ ଯୋଗୁଁ ପାଚିଲା ଧାନ, ପରିବା ନଷ୍ଟ ହୋଇପାରେ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.