ସୋମବାର ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଏକ ବ୍ୟାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହା ସହ ସେହି ବ୍ୟାଙ୍କର ଲାଇସେନ୍ସ ମଧ୍ୟ ବାତିଲ କରାଯାଇଛି । ଆର୍ବିଆଇ ପକ୍ଷରୁ ଡ଼ିସେମ୍ବର ୪ରୁ ମହାରାଷ୍ଟ୍ରର କୋହ୍ଲାପୁର ସ୍ଥିତ ‘ଶଙ୍କରରାଓ ପୂଜାରୀ ନୂତନ ନଗରୀ ସହକାରୀ ବ୍ୟାଙ୍କ୍ ଲିମିଟେଡ଼୍’କୁ ସମସ୍ତ ପ୍ରକାର ବ୍ୟବସାୟ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆର୍ବିଆଇ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରୁ ପ୍ରକାଶ ଯେ ଏହି ବ୍ୟାଙ୍କ ପାଖରେ ପର୍ଯ୍ୟାପ୍ତ ମାତ୍ରାରେ ପୁଞ୍ଜି ଏବଂ ରୋଜଗାରର ମାଧ୍ୟମ ନଥିବାରୁ ଗ୍ରାହକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । ଶଙ୍କରରାଓ ପୂଜାରୀ ନୂତନ ନଗରୀ ସହକାରୀ ବ୍ୟାଙ୍କ୍ ମାଧ୍ୟମରେ କୌଣସି ପ୍ରକାର ଡିପୋଜିଟ୍ ବା ପେମେଣ୍ଟ ସୁବିଧା ଉପରେ ରୋକ୍ ଲଗାଯାଇଛି ।
ବ୍ୟାଙ୍କ ଭବିଷ୍ୟତରେ ରୋଜଗାରର ମାଧ୍ୟମ ସମ୍ବନ୍ଧୀୟ କୌଣସି ଯୋଜନା ଉପସ୍ଥାପନା କରିବାରେ ବିଫଳ ହୋଇଥିଲା । ଏହା ସହ ଆର୍ବିଆଇ ଦ୍ୱାରା ଜାରି କରାଯାଇଥିବା ନିୟମ ପାଳନ କରୁନଥିଲା । ବର୍ତ୍ତମାନ ପ୍ରଶ୍ନ ଉଠୁଛି ଏହି ବ୍ୟାଙ୍କରେ ଜମାକାରୀମାନଙ୍କ ଅର୍ଥରାଶି କ’ଣ ହେବ ? ଡିପୋଜିଟ୍ ଇନ୍ସ୍ୟୁରାନ୍ସ ଏବଂ କ୍ରେଡ଼ିଟ୍ ଗାରେଣ୍ଟି କର୍ପୋରେସନ(DICGC) ଆର୍ବିଆଇର ଏକ ସହାୟକ କମ୍ପାନୀ ଅଟେ । ଏହା ଗ୍ରାହକମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ରାଶି ଉପରେ ବୀମା ସୁବିଧା ଯୋଗାଇଥାଏ । ଏହି ସୁବିଧା ଅନୁଯାୟୀ ଯେଉଁ ଗ୍ରାହକମାନଙ୍କର ବ୍ୟାଙ୍କରେ ୫ ଲକ୍ଷ ଟଙ୍କା କିମ୍ବା ତା ଠାରୁ କମ୍ ଜମାରାଶି ଥିବା ସେମାନେ ପୁରା ଟଙ୍କା ଫେରସ୍ତ ପାଇବେ ଏବଂ ୫ ଲକ୍ଷ ଟଙ୍କାରୁ ଅଧିକ ଥିଲେ କ୍ଲେମ୍ କରିବାକୁ ପଡ଼ିବ । ନିକଟରେ ଆରବିଆଇ ପକ୍ଷରୁ ଏଚ୍ଡ଼ିଏଫ୍ସି ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଆମେରିକା ସମେତ ୩ଟି କୋ- ଓପରେଟିଭ ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।