ନୂଆଦିଲ୍ଲୀ: ପୁଣିଥରେ ଶ୍ରୀଲଙ୍କାର କୋଣ କୋଣରେ ଘନ ଅନ୍ଧାର ଛାଇ ଯାଇଛି । ସମଗ୍ର ଦେଶରେ ଆଲୋକ ନଥିବାରୁ ଘୋଟିଯାଇଛି ଅନ୍ଧକାରର ଛାୟା । ଜଣେ ଅଧିକାରୀ ଏ ନେଇ କହିଛନ୍ତି ଯେ, ସାରା ଦେଶରେ ଲାଇଟ୍ ନଥିବାରୁ ଅନ୍ଧକାର ଖେଳିଯାଇଛି । ୨୦୨୨ ମସିହାର ଏହି ଘଟଣା ପୁଣିଥରେ ଦୋହରାଇଛି ସାରା ଦେଶ । ତେବେ ଅଚାନକ ଏଭଳି ଅନ୍ଧାର ହୋଇଯିବାର କାରଣ ମଧ୍ୟ ଜଣା ପଡ଼ିଛି । ଆର୍ଥିକ ସଂକଟ ଦୂର କରିବା ପାଇଁ ଏହା ଏକ ପ୍ରୟାସ ବୋଲି କୁହାଯାଇଛି ।
ରିପୋର୍ଟ ଅନୁସାରେ, ସିଇବିର ପ୍ରବକ୍ତା ନୋଏଲ ପ୍ରିୟନ୍ତା କହିଛନ୍ତି ଯେ, ଦେଶରେ ବିଜୁଳିକୁ ନେଇ ଏକାଧିକାର ରଖୁଥିବା ସିଲୋନ୍ ଇଲେକ୍ଟ୍ରିସଟି ବୋର୍ଡ(ସିଇବି) ବିଦ୍ୟୁତ୍ ପୁନରୁଦ୍ଧାର ପାଇଁ ପଦକ୍ଷେପ ନେବ ବୋଲି କହିଛି। ବିଦ୍ୟୁତ କାଟ ଏକ ମୁଖ୍ୟ ଲାଇନ ବ୍ରେକ ଯୋଗୁଁ ହୋଇଛି ଏବଂ ଯଥାଶୀଘ୍ର ବିଦ୍ୟୁତ ଯୋଗାଣକୁ ପୁନରୁଦ୍ଧାର ପାଇଁ ପଦକ୍ଷେପ ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି ।
୨୦୨୨ ମସିହାରେ ମଧ୍ୟ ଆର୍ଥିକ ସଙ୍କଟ ମଧ୍ୟରେ ଶ୍ରୀଲଙ୍କାବାସୀଙ୍କୁ ୧୦ ଘଣ୍ଟାର ବିଜୁଳି କାଟ୍ ସାମନା କରିବାକୁ ପଡ଼ିଥିଲା । ତେବେ ଏହି ସମୟରେ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା ଶ୍ରୀଲଙ୍କା । ଏହାପରେ ବିଜୁଳି ନିୟାମକ ୧୦ ଲକ୍ଷରୁ ଅଧିକ ସରକାରୀ କର୍ମଚାରୀଙ୍କୁ ଇନ୍ଧନ ବଞ୍ଚାଇବା ପାଇଁ ଘରୁ କାମ କରିବାକୁ ଆହ୍ୱାନ କରିଥିଲେ । ବିଦେଶୀ ମୁଦ୍ରାର ଅଭାବ ଯୋଗୁଁ ଶ୍ରୀଲଙ୍କା ଇନ୍ଧନ ସିପମେଣ୍ଟ ପାଇଁ ଦେୟ ଦେବାରେ ଅସମର୍ଥ ହୋଇ ପଡ଼ିଥିଲା । ଏଥିପାଇଁ ସାରା ଦେଶରେ ବିଜୁଳି ସଂକଟ ଦେଖା ଦେଇଥିଲା ।
ଶ୍ରୀଲଙ୍କାର ସାର୍ବଜନିକ ଉପଯୋଗିତା ଆୟୋଗର ଅଧ୍ୟକ୍ଷ ଜନକ ରତ୍ନାୟକେ କହିଥିଲେ ଯେ, ସରକାରଙ୍କଠାରୁ ୧୩ ଲକ୍ଷରୁ ଅଧିକ କର୍ମଚାରୀ ଥିବା ସାର୍ବଜନିକ କ୍ଷେତ୍ର ଅଧିକାରୀମାନଙ୍କୁ ୨ ଦିନ ପାଇଁ ଘରୁ କାମ କରିବାର ଅନୁମତି ପାଇଁ ଆବେଦନ କରାଯାଇଛି । ଏହାଦ୍ୱାରା ଇନ୍ଧନ ଏବଂ ବିଜୁଳି ଅଭାବର ସଠିକ ଭାବରେ ନିୟନ୍ତ୍ରଣ କରାଯାଇ ପାରିବ ।