୨୦୨୪ରେ ହେବ କି ଅପରାଜିତା-ଶ୍ରୀମୟୀ ଲଢ଼େଇ? ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ ମାତ୍ର କିଛି ମାସ ପରେ ରାଜ୍ୟରେ ଅନୁଷ୍ଠିତ ହେବ ବିଧାନସଭା ଓ ଲୋକସଭା ନିର୍ବାଚନ । ଯଦି ସବୁକିଛି ଠିକଠାକ୍ ରୁହେ, ତେବେ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଏକ ମହାଲଢ଼େଇ ଦେଖିବାକୁ ମିଳିପାରେ । ୨୦୧୯ ଲୋକସଭା ନିର୍ବାଚନରେ ବିଜେଡି ଉତ୍ତର, ମଧ୍ୟ ଓ ଏକାମ୍ର ବିଧାନସଭା ଆସନରେ ଜିତିଥିଲା ବେଳେ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ବିଜେଡିର ଅରୁପ ପଟ୍ଟନାୟକଙ୍କୁ ପରାସ୍ତ କରିଥିଲେ ।

ତେବେ ରାଜ୍ୟର ମେରୁଦଣ୍ଡ କୁହାଯାଉଥିବା ଭୁବନେଶ୍ୱର ଲୋକସଭା ଆସନର ଫଳାଫଳ ଶାସକ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିଲା । ତେଣୁ ପୂର୍ବଥରର ଭୁଲକୁ ସୁଧାରି ଏଥର ବିଜେଡି ଭୁବନେଶ୍ୱର ଆସନକୁ ଅକ୍ତିଆର କରିବାକୁ ଲକ୍ଷ୍ୟ ରଖିଛି । ତେବେ ରାଜଧାନୀରେ ଅପରାଜିତାଙ୍କୁ ଚେକ୍ ଦେବା ପାଇଁ ବିଜେଡି ଜଣେ ଦକ୍ଷ ମହିଳା ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଆଗକୁ ଆଣିଛି । ସେଥିପାଇଁ କିଛିମାସ ତଳେ ସୁପ୍ରିମୋ ନବୀନ ପଟ୍ଟନାୟକ ଭୁବନେଶ୍ୱରର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଭାବେ ଶ୍ରୀମୟୀଙ୍କୁ ଦାୟିତ୍ୱ ଦେଇଥିଲେ ।

ନୂଆ ନିଯୁକ୍ତି ପାଇବା ପେରେ ପରେ ଅପରାଜିତା-ଶ୍ରୀମୟୀଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଥିଲା । ଅପରାଜିତା ରାଜ୍ୟର ଶାସନ ବ୍ୟବସ୍ଥାକୁ ନେଇ ବିଜେଡି ସରକାର ଉପରେ ଆକ୍ରମଣ କରିଥିବା ବେଳେ ଶ୍ରୀମୟୀ ମଧ୍ୟ ଅପରାଜିତାଙ୍କୁ ଛାଡ଼ିନଥିଲେ । ତେବେ ଏହା ମଧ୍ୟରେ ବିଜେଡି ଶିବିରରୁ ଆସିଛି ଏକ ବଡ଼ ଖବର । ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ଶ୍ରୀମୟୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି ବରିଷ୍ଠ ନେତା ମନ୍ତ୍ରୀ ଅଶୋକ ପଣ୍ଡା ।

ଶ୍ରୀମୟୀଙ୍କୁ ପ୍ରାର୍ଥୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ଓ ଶ୍ରୀମୟୀ ନିର୍ବାଚନରେ ବିଜୟ ଲାଭ କରିବା ମୁଖ୍ୟମନ୍ତ୍ରୀଙ୍କ ପାଇଁ ସମ୍ମାନର ପ୍ରଶ୍ନ ବୋଲି ଅଶୋକ କହିଛନ୍ତି । ଭୁବନେଶ୍ୱରରେ ବିଜେଡି ଜନସମ୍ପର୍କ ପଦଯାତ୍ରା ଅବସରରେ ଅଶୋକ ଏହି ବଡ଼ ଘୋଷଣା କରିଥିଲେ । ଏଥିସହିତ ଶ୍ରୀମୟୀଙ୍କୁ ଜୟଯୁକ୍ତ କରାଇବାକୁ ଅଶୋକ ଜନତାଙ୍କୁ ନିବେଦନ କରିଥିଲେ । ତେବେ ବିଜେଡି ପକ୍ଷରୁ ଶ୍ରୀମୟୀଙ୍କୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ଆଗାମୀ ଲୋକସଭା ନିର୍ବାଚନରେ ଭୁବନେଶ୍ୱରରେ ବିଜେଡି-ବିଜେପି ମଧ୍ୟରେ କଡ଼ା ଟକ୍କର ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଯଦି ଅପରାଜିତା ବିଜେପି ପକ୍ଷରୁ ପ୍ରାର୍ଥୀ ହୁଅନ୍ତି ଓ ଶ୍ରୀମୟୀ ବିଜେଡି ପକ୍ଷରୁ ପ୍ରାର୍ଥୀ ହୁଅନ୍ତି ତେବେ ରାଜଧାନୀରେ ଏକ ମହାଲଢ଼େଇ ଦେଖିବାକୁ ମିଳିପାରେ ।