fbpx

ଅଯୋଧ୍ୟା ରାମ ମନ୍ଦିରର ସୁରକ୍ଷା କରିବ କିଏ? ଏହି ବିଭାଗକୁ ମିଳିଲା ଗୁରୁଦାୟିତ୍ୱ, NSG ଭଳି ଟ୍ରେଣ୍ଡ ଯବାନ୍

ନୂଆଦିଲ୍ଲୀ: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଜୋରଦାର ପ୍ରସ୍ତୁତି ପର୍ବ ଜାରି ରହିଛି । ଜାନୁୟାରୀ ୨୨ ତାରିଖରେ ଏହି ମହାସମାରୋହ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଏହି ରାମ ମନ୍ଦିରର ନିର୍ମାଣ ପରେ ଏହାର ସୁରକ୍ଷା ଦାୟିତ୍ୱରେ ରହିବେ କିଏ? ଏହାର ନିଷ୍ପତ୍ତି ନିଆ ସରିଛି । ଉତ୍ତରପ୍ରଦେଶରର ସ୍ପେଶାଲ ସିକ୍ୟୁରିଟି ଫୋର୍ସ(UPSSF)କୁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି । କେବକଳ ରାମ ମନ୍ଦିର ନୁହେଁ, ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ସହିତ ଅଯୋଧ୍ୟାର ନୂଆ ଏୟାରପୋର୍ଟର ସୁରକ୍ଷା ଦାୟିତ୍ୱ ମଧ୍ୟ UPSSFକୁ ଦିଆଯାଇଛି । ବର୍ତ୍ତମାନ କେବଳ ଅଯୋଧ୍ୟା ବିମାନ ବନ୍ଦରରେ ଏହି ଯବାନ ସୁରକ୍ଷା ଦେଉଛନ୍ତି ।

ଉତ୍ତରପ୍ରଦେଶର ଅନେକ ସମ୍ବେଦନଶୀଳ ତଥା ଧାର୍ମିକ ସ୍ଥଳୀ ରହିଛି । ଏହିସବୁ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଏବଂ ଏହାର ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୦୨୦ ମସିହାରେ UPSSF ଗଠନ କରିଥିଲେ । ଉତ୍ତରପ୍ରଦେଶ ବିଶେଷ ସୁରକ୍ଷା ବଳ ରାଜ୍ୟର ବିଭିନ୍ନ ସମ୍ବେଦନଶୀଳ ସୁରକ୍ଷାର ଦାୟିତ୍ୱରେ ରହିଛି । ଉତ୍ତରପ୍ରଦେଶର ସମସ୍ତ ମେଟ୍ରୋ ଷ୍ଟେସନ, ଅଯୋଧ୍ୟା ବିମାନ ବନ୍ଦର ସମେତ ୧୨ଟି ଏୟାରପୋର୍ଟ ଏବଂ ଅଯୋଧ୍ୟାର ରାମ ମନ୍ଦିରରେ ମଧ୍ୟ UPSSF ଯବାନଙ୍କୁ ସୁରକ୍ଷା ଦାୟିତ୍ୱ ପ୍ରଦାନ କରାଯାଇଛି ।

UPSSFର ଏଡିଜି ଏଲଭି ଆଣ୍ଟନୀ କହିଛନ୍ତି ଯେ, UPSSFର ଯବାନଙ୍କ ଦାୟିତ୍ୱ ଅନୁସାରେ ସେମାନଙ୍କୁ ସ୍ପେଶାଲ ଟ୍ରେନିଙ୍ଗ ଦିଆଯାଏ । ଏୟାରପୋର୍ଟରେ ନିୟୋଜିତ ଦେଉଥିବା UPSSF ଯବାନଙ୍କୁ ବିଶେଷ ଟ୍ରେନିଙ୍ଗ ଦିଆଯାଏ । ତେବେ ଅଯୋଧ୍ୟାକୁ ଦୃଷ୍ଟିରେ ରଖି ଫୋର୍ସରେ ଯବାନଙ୍କ ସଂଖ୍ୟା ବୃଦ୍ଧି କରିବା ନେଇ ପ୍ରସ୍ତୁତି କରାଯାଉଛି । ଏହାସହିତ ଅଯୋଧ୍ୟା ପାଇଁ ଏକ ନୂଆ ବାଟାଲିୟନ ମଧ୍ୟ ପ୍ରସ୍ତୁତ କରିବା ପାଇଁ ଯୋଜନା କରୁଛି UPSSF । ଏହି ସୁରକ୍ଷା ବାହିନୀର ଯବାନମାନଙ୍କୁ NSG କମାଣ୍ଡୋ ଭଳି ପ୍ରସ୍ତୁତ କରାଯାଇଥାଏ । NSG ଟ୍ରେନିଙ୍ଗ ସେଣ୍ଟର ମାନେସରରୁ ଏହି ଯବାନମାନଙ୍କୁ ପ୍ରଶିକ୍ଷଣ ଦିଆଯାଏ ବୋଲି UPSSFର ଏଡିଜି ଏଲଭି ଆଣ୍ଟନୀ କହିଛନ୍ତି

Get real time updates directly on you device, subscribe now.