fbpx

ମହାରାଷ୍ଟ୍ର ବାଚସ୍ପତି: ନିର୍ବାଚନ ଆୟୋଗଙ୍କ ରେକର୍ଡରେ ଶିନ୍ଦେ ଗୋଷ୍ଠୀ ହିଁ ପ୍ରକୃତ ଶିବସେନା

ନୂଆଦିଲ୍ଲୀ: ଦୀର୍ଘଦିନ ଧରି ଲାଗି ରହିଥିବା ମହାରାଷ୍ଟ୍ର ରାଜନୀତି ଉପରେ ଏବେ ସାରା ଦେଶର ନଜର । ରାଜ୍ୟ ବିଧାନସଭାର ବାଚସ୍ପତି ରାହୁଲ ନାର୍ବେକର କାହା ସପକ୍ଷରେ ନିଷ୍ପତ୍ତି ଶୁଣାଉଛନ୍ତି ତାହାକୁ ସମସ୍ତେ ଅପେକ୍ଷା କରି ରହିଥିଲେ । ତେବେ ଏହା ମଧ୍ୟରେ ବାସସ୍ପତି ଏହି ମାମଲାରେ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ନିର୍ବାଚନ ଆୟୋଗଙ୍କ ରେକର୍ଡରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଗୋଷ୍ଠୀ ହିଁ ପ୍ରକୃତ ଶିବସେନା ବୋଲି ବାଚସ୍ପତି କହିଛନ୍ତି ।

ଗତ ୨୦୨୨ ମସିହା ମେ ମାସରେ ଏହି ମାମଲାର ଆରମ୍ଭ ହୋଇଥିଲା । ଶିବସେନାର ୧୬ ଜଣ ବିଧାୟକ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଦଳରୁ ଅଲଗା ହୋଇ ବିଜେପିରେ ସାମିଲ ହୋଇଥିଲେ । ଉକ୍ତ ସମସ୍ତ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିବା ପାଇଁ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ପକ୍ଷରୁ ଦାବି କରାଯାଇଥିଲା । ନିର୍ବାଚନ ଆୟୋଗଙ୍କ ରେକର୍ଡରେ ଶିନ୍ଦେ ଗୋଷ୍ଠୀ ଅସଲି ଶିବସେନା ବୋଲି ନିଷ୍ପତ୍ତି ପଢ଼ିବା ସମୟରେ ବିଧାନସଭା ବାଚସ୍ପତି କହିଥିଲେ ।

୨୦୧୮ ମସିହାରେ ଶିବସେନା ପକ୍ଷରୁ ସମ୍ବିଧାନରେ ଯେଉଁ ସଂଶୋଧନ କରାଯାଇଥିଲା ତାହା ଅସାମ୍ବିଧାନିକ ଥିଲା । ଉକ୍ତ ସଂଶୋଧନ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ରେକର୍ଡରେ ଦର୍ଜ କରାଯାଇନଥିଲା । ନିର୍ବାଚନ ଆୟୋଗଙ୍କ ନିକଟରେ କେବଳ ୧୯୯୯ ମସିହାରେ ସମ୍ବିଧାନ ସଂଶୋଧନ ଦର୍ଜ ହୋଇଥିଲା । ତେଣୁ ନିର୍ବାଚନ ଆୟୋଗଙ୍କ ନିକଟରେ ରଖାଯାଇଥିବା ସମ୍ବିଧାନ ହିଁ ବୈଧ ହେବ ବୋଲି ବାଚସ୍ପତି କହିଥିଲେ ।

Get real time updates directly on you device, subscribe now.