fbpx
BJD SKY
BJD SKY

୨୨ରେ ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା: ନିମନ୍ତ୍ରଣ ମିଳିଛି ହେଲେ ଆମ ଦଳର ନେତା ଅଯୋଧ୍ୟା ଯିବେ ନାହିଁ: କଂଗ୍ରେସ

BJD

ଓଡିଶା ଭାସ୍କର: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ଲାଗି ରହିଛି ଅନେକ ଚର୍ଚ୍ଚା ଓ ଆଲୋଚନା । ସେହିପରି ଏହାକୁ ନେଇ ରାଜନୀତି ମଧ୍ୟ ବେଶ୍ ସରଗରମ ରହିଛି। ତେବେ ଆସନ୍ତା ଜାନୁଆରୀ ୨୨ ତାରିଖରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହା ସହ ସେ ରାମମନ୍ଦିର‌ରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା କରିବେ। ଅନ୍ୟପଟେ ଏହି ସମାରୋହରେ ଯୋଗ ଦେବା ପାଇଁ ସମଗ୍ର ବିଶ୍ୱରୁ ସାଧୁ, ସନ୍ଥ, ରାଜନେତା ଓ ମାନ୍ୟଗଣଙ୍କୁ ନିମନ୍ତ୍ରଣ କରାଯାଇଛି। ମାତ୍ର ଏହି ପ୍ରତିଷ୍ଠା ଉତ୍ସବରେ କଂଗ୍ରେସ ନେତାମାନେ ଯୋଗ ଦେବେ ନାହିଁ ବୋଲି ଆଜି ଦଳ ପକ୍ଷରୁ ସ୍ପଷ୍ଟ ହୋଇଛି।

ଏନେଇ ଆଜି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ସୂଚନା ଦେଇଛନ୍ତି। ସାଧାରଣ ନିର୍ବାଚନ ଥିବାରୁ ଏହା ପୂର୍ବରୁ ଅର୍ଦ୍ଧନିର୍ମିତ ରାମ ମନ୍ଦିର ଉଦ୍‌ଘାଟନ କରାଯାଉଛି। ରାଜନୈତିକ ଉଦେଶ୍ୟ ରଖି ବିଜେପି ଓ ଆର୍‌ଏସ୍‌ଏସ୍‌ ଏହି କାମ କରୁଛି। ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱ ବହନ କରୁଥିବା ଏହି ଉଦ୍‌ଘାଟନକୁ ବୟକଟ୍‌ କରିଛି କଂଗ୍ରେସ। ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ମିଳିଥିବା ଆମନ୍ତ୍ରଣକୁ କଂଗ୍ରେସ ସିଧାସଳଖ ଅସ୍ୱୀକାର କରିଛି। ଏହାକୁ ନେଇ କଂଗ୍ରେସ ପକ୍ଷରୁ ଏକ ବିବୃତ୍ତି ମଧ୍ୟ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ଗତ ମାସରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧି ଓ ଅଧୀର ରଞ୍ଜନ ଚୌଧୁରୀଙ୍କୁ ଅଯୋଧ୍ୟାରେ ରାମ ମନ୍ଦିର ଉତ୍ସର୍ଗ ପାଇଁ ନିମନ୍ତ୍ରଣ ମିଳିଥିଲା। ତେବେ ପ୍ରଭୁ ରାମଙ୍କୁ କୋଟି କୋଟି ଭାରତୀୟ ପୂଜା କରନ୍ତି। ଏହା ସହ ଧର୍ମ ମନୁଷ୍ୟର ବ୍ୟକ୍ତିଗତ ବିଷୟ ହୋଇଆସୁଛି, କିନ୍ତୁ ବର୍ଷ ବର୍ଷ ଧରି ବିଜେପି ଏବଂ ଆରଏସଏସ ଅଯୋଧ୍ୟାରେ ରାମ ମନ୍ଦିରକୁ ଏକ ରାଜନୈତିକ ପ୍ରକଳ୍ପରେ ପରିଣତ କରିଛନ୍ତି।

ଅନ୍ୟପଟେ ଏହାକୁ ନେଇ ଜୟରାମ ରମେଶ ବ୍ୟକ୍ତିଗତ ମତ ରଖି କହିଛନ୍ତି ଯେ, ଆମ ଦେଶର ଲକ୍ଷ ଲକ୍ଷ ଲୋକ ଭଗବାନ ରାମଙ୍କର ପୂଜା କରିଥାନ୍ତି । ଧର୍ମ ଏକ ବ୍ୟକ୍ତିଗତ ବ୍ୟାପାର, ହେଲେ ଆରଏସଏସ ଓ ବିଜେପି ଅନେକ ବର୍ଷ ଧରି ଅଯୋଧ୍ୟାର ରାମ ମନ୍ଦିରକୁ ରାଜନୈତିକ ପ୍ରକଳ୍ପ ଭାବେ ବ୍ୟବହାର କରୁଛନ୍ତି । ବିଜେପି ଓ ଆରଏସଏସ ନେତମାନେ ଅଧା ନିର୍ମାଣ ହୋଇଥିବା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କେବଳ ନିର୍ବାଚନୀ ଲାଭ ପାଇଁ କରୁଥିବା ସେ କହିଛନ୍ତି ।

Get real time updates directly on you device, subscribe now.