fbpx

ଦେଶରେ ଗତ ୯ ବର୍ଷ ମଧ୍ୟରେ ୨୪ କୋଟି ୮୨ ଲକ୍ଷ ଲୋକ ବହୁମୁଖୀ ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି : ନୀତି ଆୟୋଗର ସୂଚନା

ନୂଆଦିଲ୍ଲୀ: ଦେଶରେ ଗତ ୯ ବର୍ଷ ମଧ୍ୟରେ ୨୪ କୋଟି ୮୨ ଲକ୍ଷ ଲୋକ ବହୁମୁଖୀ ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି ବୋଲି ନୀତି ଆୟୋଗ ସୂତ୍ରରୁ ଜଣାପଡିଛି । ନୀତି ଆୟୋଗର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫେସର ରମେଶ ଚାନ୍ଦ କହିଛନ୍ତି, ୨୦୧୩-୧୪ ମସିହାରୁ ୨୦୨୨-୨୩ ମସିହା ଭିତରେ ସରକାରଙ୍କର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପଗୁଡ଼ିକ ଯୋଗୁଁ ଦାରିଦ୍ର୍ୟର ସମସ୍ତ ଦିଗକୁ ଦୂର କରିବାରେ ସଫଳତା ମିଳିଛି । ଦେଶରେ ବହୁମୁଖୀ ଦାରିଦ୍ର୍ୟ ୨୦୧୩- ୧୪ ମସିହାରେ ୨୯ ଦଶମିକ ୧/୭ ପ୍ରତିଶତ ଥିବାବେଳେ ୨୦୨୨-୨୩ ମସିହା ବେଳକୁ ଏହା ହ୍ରାସ ପାଇ ୧୧ ଦଶମିକ ୨/୮ ପ୍ରତିଶତ ହୋଇଥିଲା ।

ଉତ୍ତରପ୍ରଦେଶରେ ଗତ ୯ ବର୍ଷ ମଧ୍ୟରେ ଦେଶରେ ସର୍ବାଧିକ ୫ କୋଟି ୯୪ ଲକ୍ଷ ଲୋକ ବହୁମୁଖୀ ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି । ପ୍ରଫେସର ଚାନ୍ଦ କହିଛନ୍ତି, ୨୦୩୦ ମସିହା ପୂର୍ବରୁ ଦେଶ ବହୁମୁଖୀ ଦାରିଦ୍ର୍ୟ ହ୍ରାସ ଲକ୍ଷ୍ୟ ହାସଲ କରିବ । ଅବହେଳିତ, ଦୁର୍ବଳ ଏବଂ ଗରିବ ଶ୍ରେଣୀର ଲୋକମାନଙ୍କର ଜୀବନ ଶୈଳୀର ମାନ ଉନ୍ନତ କରିବା ଲାଗି ସରକାରଙ୍କ ନିରନ୍ତର ପଦକ୍ଷେପ ଏବଂ ଦୃଢ଼ ପ୍ରତିବଦ୍ଧତା ଏହି ସଫଳତା ପାଇଁ ସହାୟକ ହୋଇଛି । ପୋଷଣ ଅଭିଯାନ ଏବଂ ରକ୍ତହୀନତା ମୁକ୍ତ ଭାରତ ଭଳି ଉଲ୍ଲେଖନୀୟ ପଦକ୍ଷେପ, ସ୍ୱାସ୍ଥ୍ୟ ସେବାର ଉପଲବ୍ଧିତାକୁ ଯଥେଷ୍ଟ ପରିମାଣରେ ବୃଦ୍ଧି କରିଛି ।

ସେହିଭଳି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ସାର୍ବଜନୀନ ବଣ୍ଟନ ବ୍ୟବସ୍ଥାରେ ୮୧ କୋଟି ୩୫ ଲକ୍ଷର ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇ ଗ୍ରାମ ଏବଂ ସହରାଞ୍ଚଳ ଲୋକଙ୍କୁ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନର ମାଗଣା ଖାଦ୍ୟଶସ୍ୟ ବଣ୍ଟନକୁ ଆଉ ୫ ବର୍ଷ ବୃଦ୍ଧି କରିବା ନିଷ୍ପତ୍ତି କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାର ଉଦାହରଣ ଦେଇଛି । ଏହାବ୍ୟତୀତ ପ୍ରଧାନମନ୍ତ୍ରୀଙ୍କ ଜନଧନ ଯୋଜନା, ପିଏମ୍‍ -ଆବାସ ଯୋଜନା ଭଳି ପ୍ରମୁଖ କାର୍ଯ୍ୟକ୍ରମ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ଗରିବ ଲୋକମାନଙ୍କର ସୁରକ୍ଷିତ ଆବାସ ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି । ମୌଳିକ ସମସ୍ୟାଗୁଡ଼ିକ ଦ୍ରୁତ ଗତିରେ ସମାଧାନ ହେଉଥିବାରୁ ଆସନ୍ତା ୨୦୪୭ ମସିହା ସୁଦ୍ଧା ଦେଶ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବା ଦିଗରେ ସରକାରଙ୍କର ପଦକ୍ଷେପଗୁଡ଼ିକ ସହାୟକ ହେବ ।

Get real time updates directly on you device, subscribe now.