CAIT ପକ୍ଷରୁ ପୂର୍ବାନୁମାନ: ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ୧ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ସୃଷ୍ଟି କରିବ

ନୂଆଦିଲ୍ଲୀ: ଜାନୁଆରୀ ମାସ ୨୨ ତାରିଖରେ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବର ପ୍ରସ୍ତୁତି ପ୍ରକ୍ରିୟା ପ୍ରାୟତଃ ଶେଷ ହୋଇସାରିଲାଣି । ଦିନ ୧୨.୨୦ ସମୟରେ ରାମଲଲାଙ୍କର ପ୍ରାଣ ପ୍ରତିଷ୍ଠା କରାଯିବ । ପ୍ରାଣ ପ୍ରତିଷ୍ଠା ପୂର୍ବରୁ ହେବାକୁ ଥିବା ପୂଜନ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ଓ ଏହାପରେ ୧୮ ତାରିଖରେ ମୂର୍ତ୍ତି ମନ୍ଦିର ଗର୍ଭଗୃହରେ ପହଞ୍ଚିବ । ଶ୍ରୀରାମ ଜନ୍ମଭୂମି ମନ୍ଦିର ଟ୍ରଷ୍ଟର ସଚିବ ଚମ୍ପତ ରାୟ ଏ ବାବଦରେ ସୂଚନା ଦେଇଛନ୍ତି ।

ତେବେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଦେଶ ବିଦେଶର ହଜାର ହଜାର ଅତିଥି ଯୋଗଦେବେ । ଏହି ଭବ୍ୟ ଉତ୍ସବର ଜୟଗାନ ସାରା ବିଶ୍ୱରେ ଗୁଞ୍ଜରିତ ହେବ । ଏହା ମଧ୍ୟରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନେଇ ଆସିଛି ଏକ ବଡ଼ ଖବର । ଅଯୋଧ୍ୟାରେ ହେବାକୁ ଥିବା ଏହି ଉତ୍ସବ ୧ ଟ୍ରିଲିୟନ ବା ୧ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ସୃଷ୍ଟି କରିବ । ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସେଟ) ପକ୍ଷରୁ ଏଭଳି ପୂର୍ବାନୁମାନ କରାଯାଇଛି ।

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନେଇ ବିଭିନ୍ନ ରାଜ୍ୟର ୩୦ଟି ସହରର ବ୍ୟବସାୟୀ ସଂଘମାନଙ୍କ ପକ୍ଷରୁ ମତାମତ ଗ୍ରହଣ କରାଯାଇଥିଲା । ସେମାନଙ୍କର ଫିଡବ୍ୟାକକୁ ଗ୍ରହଣ କିରବା ପରେ ସେଟ୍ ପକ୍ଷରୁ ଏପରି ଆକଳନ କରାଯାଇଛି । ଏନେଇ ସେଟର ରାଷ୍ଟ୍ରୀୟ ମହାସଚିବ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି, ଏହି ପ୍ରତିଷ୍ଠା ଉତ୍ସବ କେବଳ ଧାର୍ମିକ ଭାବନାକୁ ପ୍ରତିଧ୍ୱନିତ କରିବ ନାହିଁ, ଆର୍ଥିକ କ୍ଷେତ୍ରରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳିବ । ଲୋକଙ୍କର ଏହି ବିଶ୍ୱାସ ଦେଶର ପାରମ୍ପରିକ ଆର୍ଥିକ ବ୍ୟବସ୍ଥାରେ କିଛି ନୂଆ ବିଜିନେସ ସୃଷ୍ଟି କରିବାରେ ସହାୟକ ହେବ । ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଦେଖିବା ପାଇଁ ବ୍ୟବସାୟୀ ସଂଘ ପକ୍ଷରୁ ଦେଶରେ ପାଖାପାଖି ୩୦ ହଜାର କାର୍ଯ୍ୟକ୍ରମ କରାଯାଇଛି । ଦେଶରେ ରାମ ମଡେଲର ଚାହିଦା ବଢ଼ିବାରେ ଲାଗିଥିବା ବେଳେ ଏହାର ବିକ୍ରି ସଂଖ୍ୟା ୫ କୋଟି ଟପିଯିବ ବୋଲି ଅନୁମାନ କରାଯାଉଛି । କ୍ଷୁଦ୍ର ନିର୍ମାଣକାରୀ ସଂସ୍ଥାମାନେ ଦେଶର ବିଭିନ୍ନ ସହରରେ ଏଥିପାଇଁ ଦିନରାତି ପରିଶ୍ରମ କରୁଛନ୍ତି । ଏହି ପ୍ରତିଷ୍ଠା ଉତ୍ସବ ଅବସରରେ ଦିଲ୍ଲୀରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।