ସଚ୍ଚିନଙ୍କ ଡିପଫେକ୍ ଭାଇରାଲ୍ ଭିଡିଓ ଉପରେ ପୋଲିସ ନେଲା କାର୍ଯ୍ୟାନୁଷ୍ଠାନ, କ୍ରିକେଟର କହିଥିଲେ ଏପରି କିଛି

ନୂଆଦିଲ୍ଲୀ: ବିଶ୍ୱର ମହାନ୍ କ୍ରିକେଟ୍ ଖେଳାଳୀଙ୍କ ମଧ୍ୟରେ ରହିଛି ସଚ୍ଚିନ ତେନ୍ଦୁଲକରଙ୍କ ନାମ । ଫ୍ୟାନ୍ସ ତାଙ୍କୁ କ୍ରିକେଟ୍ ଭଗବାନ ଓ ମାଷ୍ଟର ବ୍ଲାଷ୍ଟର ନାମରେ ଡାକିଥାନ୍ତି । କିନ୍ତୁ କିଛିଦିନ ତଳେ ସଚ୍ଚିନ ଡିପଫେକ୍ ଭିଡିଓର ଶିକାର ହୋଇଥିଲେ । ଏହି ଡିପଫେକ୍ ଭିଡିଓରେ ସଚ୍ଚିନ ଏକ ଆପ୍‌ର ପ୍ରଚାର କରୁଥିବା ନଜର ଆସିଥିଲେ । ଏବେ ଏହି ମାମଲାରେ ମୁମ୍ବାଇ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଏହି ମାମଲାରେ ମୁମ୍ବାଇ ପୋଲିସ ଗେମିଂ ଆପ୍ଲିକେସନ ଓ ଫେସବୁକ୍ ପେଜ୍ ବିରୁଦ୍ଧରେ ମାମଲା ରୁଜୁ କରିଛି । ମୁମ୍ବାଇ ସାଇବର ସେଲ୍ ସଚ୍ଚିନଙ୍କ ପିଏ ରମେଶ ପାରଘେଙ୍କ ଏଫଆଇଆର୍ ଆଧାରରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଏଫଆଇଆର୍ ଆଇପିସି ଧାରା ୫୦୦ ଓ ଆଇଟି ଧାରା ୬୬(ଏ) ଆଧାରରେ ରୁଜୁ କରାଯାଇଛି । ଏଠାରେ ସୂଚାଇ ଦିଆଯାଇପାରେ କି ୨ ଦିନ ତଳେ ସଚ୍ଚିନ ଟୁଇଟ୍ କରି ସୂଚନା ଦେଇଥିଲେ କି ତାଙ୍କ ଡିପଫେକ୍ ଭିଡିଓ ତିଆରି କରାଯାଇଛି । ଏହାକୁ ନେଇ ସେ ଚିନ୍ତା ବ୍ୟକ୍ତ କରିଥିଲେ ।

ଏହି ଭିଡିଓରେ ସଚ୍ଚିନଙ୍କୁ ଗେମିଂ ସହ ଜଡିତ ଏକ ଆପ୍‌ର ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା । ଭିଡିଓରେ ସେ କହୁଛନ୍ତି କି ପଇସା ରୋଜଗାର କରିବା ଏତେ ସହଜ ବୋଲି ସେ ଜାଣି ନ ଥିଲେ ଓ ତାଙ୍କ ଝିଅ ମଧ୍ୟ ଏହାର ଉପଯୋଗ କରୁଛି ବୋଲି ସେ କହୁଛନ୍ତି । ଏହାପରେ ସଚ୍ଚିନ ଟୁଇଟ୍ କରି ଏହା ଏକ ଡିପଫେକ୍ ଭିଡିଓ ବୋଲି କହିଛନ୍ତି ଓ ସମସ୍ତଙ୍କୁ ଅନୁରୋଧ କରିଛନ୍ତି କି ଏହିପ୍ରକାର ଭିଡିଓ, ବିଜ୍ଞାପନ ଓ ଆପ୍ ବିରୋଧରେ ପୋଲିସରେ ରିପୋର୍ଟ କରିବାକୁ ।