ଇଂଲଣ୍ଡ ସିରିଜରେ No.1 ସ୍ପିନର ହେବେ ଅଶ୍ୱୀନ! ଏତିକି ପାଦ ଦୂରରେ ଷ୍ଟାର ବୋଲର

ନୂଆଦିଲ୍ଲୀ: ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ । ହାଇଦ୍ରାବାଦରେ ଏହି ସିରିଜର ପ୍ରଥମ ମ୍ୟାଚ ଖେଳିବେ ଉଭୟ ଦଳ । ତେବେ ଏହି ସିରିଜକୁ ନେଇ ଉଭୟ ଦଳ କଠିନ ପରିଶ୍ରମ କରୁଥିବା ବେଳେ ପ୍ରସ୍ତୁତି ଉପରେ ବେଶ୍ ଗୁରୁତ୍ୱ ଦେଇଛନ୍ତି । ଏହି ସିରିଜରେ ଅନେକ ରେକର୍ଡ ସୃଷ୍ଟି ହେବାର ଅନୁମାନ କରାଯାଉଛି । କିନ୍ତୁ ଭାରତର ଭେଟେରାନ୍ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନଙ୍କ ଉପରେ ରହିବ ସମସ୍ତଙ୍କ ନଜର । ସେ ଏହି ସିରିଜରେ ଅନେକ ରେକର୍ଡ ନିଜ ନାମରେ କରିପାରନ୍ତି । ଭାରତର ସର୍ବଶ୍ରେଷ୍ଠ ସ୍ପିନର ପାଲଟିବାର ଉପଲବ୍ଧି ହାସଲ କରିପାରନ୍ତି ଅଶ୍ୱୀନ ।

ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ସର୍ବାଧିକ ୱିକେଟ ନେବା ତାଲିକାରେ ରବିଚନ୍ଦ୍ରନ ଅଶ୍ୱୀନ ତୃତୀୟ ସ୍ଥାନରେ ରହିଛନ୍ତି । ୧୯ଟି ମ୍ୟାଚରେ ୮୮ଟି ୱିକେଟ ସହ ସେ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ତାଲିକାର ଶୀର୍ଷରେ ବି.ଏସ ଚନ୍ଦ୍ରଶେଖର(୯୫) ରହିଛନ୍ତି । ତେବେ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ପୂର୍ବତନ ସ୍ପିନର ତଥା କୋଚ୍ ଅନିଲ କୁମ୍ବଲେ(୯୨) । ଏହି ସିରିଜରେ ମାତ୍ର ୮ ଟି ୱିକେଟ ହାସଲ କଲେ ଅଶ୍ୱୀନ ଉଭୟ ପୂର୍ବତନ ସ୍ପିନରଙ୍କୁ ପଛରେ ପକାଇ ସର୍ବଶ୍ରେଷ୍ଠ ସ୍ପିନର ଭାବରେ ରେକର୍ଡ ହାସଲ କରିପାରନ୍ତି । ୧୩୯ ୱିକେଟ ସହ ଜେମ୍ସ ଆଣ୍ଡରସନ ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚରେ ସର୍ବାଧିକ ୱିକେଟ ହାସଲକାରୀ ବୋଲର ପାଲଟିଛନ୍ତି ।

ଏହାବ୍ୟତୀତ ଟିମ ଇଣ୍ଡିଆର ଷ୍ଟାର ଅଫ୍ ସ୍ପିନର ଅଶ୍ୱୀନ ନିଜ କ୍ୟାରିୟରରେ ୯୫ଟି ଟେଷ୍ଟ ମ୍ୟାଚରୁ ୪୯୦ ୱିକେଟ ହାସଲ କରିଛନ୍ତି । ତେଣୁ ଏହି ସିରିଜରେ ସେ ୫୦୦ ୱିକେଟ ହାସଲ କରିବାର ଖୁବ ନିକଟତର ରହିଛନ୍ତି । ଘରୋଇ ପିଚରେ ଅଶ୍ୱୀନଙ୍କ ପ୍ରଦର୍ଶନ ଖୁବ ଉଚ୍ଚକୋଟୀର ରହୁଥିବାରୁ ଏହି ସିରିଜରେ ସେ ଏହି କୀର୍ତ୍ତିମାନ ହାସଲ କରିପାରିବେ ବୋଲି ବିଶ୍ୱାସ କରାଯାଉଛି । ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଅନିଲ କୁମ୍ବଲେ ବର୍ତ୍ତମାନ ଟେଷ୍ଟରେ ଭାରତ ପକ୍ଷରୁ ସର୍ବାଧିକ ୬୧୯ଟି ୱିକେଟ ହାସଲ କରିଛନ୍ତି । ତେବେ ଅଶ୍ୱୀନ ଏମିତି କାରନାମା କରିପାରିଲେ ଟେଷ୍ଟରେ ୫୦୦ ୱିକେଟ ହାସଲ କରିଥିବା ବୋଲରଙ୍କ ତାଲିକାେ ସେ ନମ ଖେଳାଳି ଭାବରେ ସ୍ଥାନ ପାଇବେ । ଏହାସହିତ ଇଂଲଣ୍ଡ ବିପକ୍ଷ ୫ଟି ଯାକ ମ୍ୟାଚ ଖେଳିପାରିଲେ ସେ ନିଜର ୧୦୦ତମ ଟେଷ୍ଟ ଖେଳିବାର ସୁଯୋଗ ପାଇପାରନ୍ତି । ୧୦୦ ବା ତାଠାରୁ ଅଧିକ ଟେଷ୍ଟ ମ୍ୟାଚ ଖେଳିବା ତାଲିକାରେ ଭାରତୀୟ ଖେଳାଳି ଭାବରେ ୧୪ତମ ଖେଳାଳି ହେବାର ସୁଯୋଗ ପାଇପାରନ୍ତି ରବିଚନ୍ଦ୍ରନ ଅଶ୍ୱୀନ ।