ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସମ୍ପାଦକ ଜୟ ଶାହଙ୍କୁ ନେଇ ଆସିଛି ଏକ ବଡ଼ ଖୁସି ଖବର । ଏସିଆନ କ୍ରିକେଟ କାଉନସିଲ (ଏସିସି)ର ଅଧ୍ୟକ୍ଷ ଭାବେ ଜୟଙ୍କ କାର୍ଯ୍ୟକାଳ ଏକ ବର୍ଷ ବୃଦ୍ଧି କରାଯାଇଛି । ଆଜି ଅନୁଷ୍ଠିତ ହୋଇଥିବା ଏସିସିର ବାର୍ଷିକ ସାଧାରଣ ବୈଠକ (ଏଜିଏମ)ରେ ଶାହଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି ଉପରେ ସର୍ବସମ୍ମତି କ୍ରମେ ମଞ୍ଜୁରୀ ମିଳିଛି ।
ଏସିସିର ଅଧ୍ୟକ୍ଷ ଭାବେ ଜୟଙ୍କ କାର୍ଯ୍ୟକାଳ ଆଉ ଏକ ବର୍ଷ ବୃଦ୍ଧି ହେବା ନିଶ୍ଚିତ ଭାବେ ଭାରତୀୟ କ୍ରିକେଟ ଜଗତ ପାଇଁ ଏକ ଖୁସି ଖବର । ଜୟଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ଶ୍ରୀଲଙ୍କା କ୍ରିକେଟ (ଏସଏଲସି)ର ଅଧ୍ୟକ୍ଷ ଶାମ୍ମୀ ସିଲଭା ପ୍ରସ୍ତାବ ଆଗତ କରିଥିଲେ । ଜୟଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ଏସିସି ପକ୍ଷରୁ ଏକ ବୟାନ ଜାରି କରି ସୂଚନା ଦିଆଯାଇଛି ।
ଜୟଙ୍କ ନାମାଙ୍କନକୁ ଏସିସିର ସମସ୍ତ ସଦସ୍ୟ ସର୍ବସମ୍ମତିକ୍ରମେ ନିଜ ନିଜର ସମର୍ଥନ ବ୍ୟକ୍ତ କରିଥିଲେ । ଗତ ୨୦୨୧ ମସିହାରେ ପ୍ରଥମ ଥର ପାଇଁ ଜୟ ଏସିସିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ । ବାଂଲାଦେଶ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ନଜମୁଲ ହସନଙ୍କ ଠାରୁ ସେ ଏହି ଦାୟିତ୍ୱ ଗ୍ରହଣ କରିଥିଲେ । ତେବେ ଏହି କାର୍ଯ୍ୟକାଳ ବୃଦ୍ଧିରେ ଜୟ ନିଜ ନାମରେ ଏକ ନୂଆ ରେକର୍ଡ କରିଛନ୍ତି । ଏଥିସହିତ ଜଣେ ସର୍ବକନିଷ୍ଠ ପ୍ରଶାସକ ଭାବେ ସେ ଏସିସିର ଅଧ୍ୟକ୍ଷ ଭାବେ ପୁନଃ ନିଯୁକ୍ତି ପାଇବାର ଗୌରବ ଲାଭ କରିଛନ୍ତି । ଦ୍ୱିତୀୟ ଥର ପାଇଁ କାର୍ଯ୍ୟକାଳ ବୃଦ୍ଧି ହେବାରେ ଜୟ ପ୍ରଥମ ବ୍ୟକ୍ତି ହୋଇଛନ୍ତି । ଏନେଇ ଜୟ ଖୁସି ବ୍ୟକ୍ତ କରିବା ସହ ଏଥିପାଇଁ ସେ ଏସିସିକୁ ଧନ୍ୟବାଦ ଦେଇଛନ୍ତି ।