fbpx

ଦେବଗଡ, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଆଜି ଦେବଗଡ, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲକ୍ଷ୍ମୀ ବସ୍‌ ଆମ ଜୀବନକୁ ସହଜ କରିଛି । ଗାଁର ଅର୍ଥନୀତିକୁ ମଜବୁତ କରିବାରେ ଏହା ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି ଓ କୋରାପୁଟ ଜିଲ୍ଲାବାସୀ ଲକ୍ଷ୍ମୀ ବସ୍‌ ସେବା ପାଇଥିଲେ। ଆଜି ଏହି ବ୍ୟବସ୍ଥାରେ ଆଉ ୩ଟି ଜିଲ୍ଲା ଯୋଡ଼ି ହେଲା ।

ଆଜିର ଶୁଭାରମ୍ଭ ପରେ ୩ଟି ଜିଲ୍ଲାର ୪୪୦ଟି ପଞ୍ଚାୟତରେ ୧୦୧ଟି ବସ୍‌ ଚାଲିବ। ଏହା ଦ୍ୱାରା ୨୭ ଲକ୍ଷରୁ ଅଧିକ ଲୋକ ଉପକାର ପାଇବେ । ଦେବଗଡର ୬୯ଟି ପଞ୍ଚାୟତରେ ୧୭ଟି ବସ୍‌ ଚାଲିବ ଏବଂ ୩ ଲକ୍ଷ ଲୋକ ଉପକୃତ ହେବେ। ଅନୁଗୋଳର ୧୭୬ଟି ପଞ୍ଚାୟତରେ ୨୯ଟି ବସ୍‌ ଚାଲିବ ଏବଂ ୧୧ ଲକ୍ଷ ୫୦ ହଜାର ଲୋକ ଉପକୃତ ହେବେ । ସେହିପରି ଢେଙ୍କାନାଳର ୧୯୫ଟି ପଞ୍ଚାୟତରେ ୫୫ଟି ବସ୍‌ ଚାଲିବ ଏବଂ ୧୩ ଲକ୍ଷ ଲୋକ ଉପକୃତ ହେବେ।

ଏହି ଯୋଜନାରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି। ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ। ୫ଟିଯୋଜନାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ମା’ମାନଙ୍କୁ ବସ୍ ପରିଚଳନା ଦାୟିତ୍ୱ ଦିଆଯାଇଛି।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପଞ୍ଚାୟତକୁ ବିକାଶର କେନ୍ଦ୍ର କରିବା ଆମର ଲକ୍ଷ୍ୟ ରହିଛି। ଗାଁର ଅର୍ଥନୀତିକୁ ମଜବୁତ କରିବା ଆମର ଲକ୍ଷ୍ୟ। ଲକ୍ଷ୍ମୀ ବସ୍‌ ଏଥିରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.