fbpx

ମୁସଲିମ ପକ୍ଷଙ୍କୁ ଶକ୍ତ ଝଟକା: ‘ପୂଜାରେ ଲାଗିବନି କୌଣସି ପ୍ରତିବନ୍ଧକ..’ , ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ନୂଆଦିଲ୍ଲୀ: ଜ୍ଞାନବ୍ୟାପୀ ମାମଲାକୁ ନେଇ ହାଇକୋର୍ଟଙ୍କ ପକ୍ଷରୁ ବର୍ତ୍ତମାନ ଆଉ ଏକ ଶୁଣାଣି ସାମ୍ନାକୁ ଆସିଛି । ବ୍ୟାସଙ୍କ ତେହଖାନାରେ ପୂଜା ଆରମ୍ଭ କରିବାକୁ ନେଇ ମୁସଲିମ ପକ୍ଷଙ୍କ ପିଟିସନକୁ ଆହ୍ଲାବାଦ ହାଇକୋର୍ଟରେ ଶୁକ୍ରବାର ଦିନ ଶୁଣାଣି ହୋଇଛି । ଏହାରି ମଧ୍ୟରେ ପୂଜା ଉପରେ ପ୍ରତିବନ୍ଧକ ଲଗାଇବାକୁ ମନା କରି ଆଗାମୀ ଶୁଣାଣି ପାଇଁ ୬ ଫେବୃଆରୀକୁ ତାରିଖ ଘୋଷଣା କରାଯାଇଛି । ମୁସଲିମ ପକ୍ଷଙ୍କ ପକ୍ଷରୁ ଓକିଲ ସୈୟଦ ଫରନାମ ଅହମଦ ନକବୀ ଦଲିଲ ଦାଖଲ କରିଛନ୍ତି ।

ବାରଣାସୀ କୋର୍ଟ ଦ୍ୱାରା ଆଦେଶ ଦିଆଯିବା ପରେ ବ୍ୟାସ ତେହଖାନାରେ ପୂଜା-ଅର୍ଚ୍ଚନା ଆରମ୍ଭ ହୋଇସାରିଛି । କୋର୍ଟଙ୍କ ଆଦେଶ ବିରୋଧରେ ମୁସଲିମ ପକ୍ଷ ଅଧ ରାତିରେ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲେ । ଯାହାକୁ ଖାରଜ କରାଯାଇଥିଲା । ହାଇକୋର୍ଟରେ ମୁସଲିମ ପକ୍ଷଙ୍କ ଓକିଲ କହିଥିଲେ ଯେ, ୩୧ ଜାନୁଆରୀରେ ଆଦେଶ ଦିଆଯିବା କାରଣରୁ ତୁରନ୍ତ କୋର୍ଟ ଆସିବାକୁ ପଡିଥିଲା । ୧୭ ଜାନୁଆରୀର ଆଦେଶକୁ ମଧ୍ୟ ଚ୍ୟାଲେଞ୍ଜ କରାଯିବ । ଜଷ୍ଟିସ ରୋହିତ ରଞ୍ଜନ ମାମଲାର ଶୁଣାଣି କରିଥିଲେ । ବିଚାରପତି ୟୁପି ସରକାରଙ୍କୁ ଏହି ସ୍ଥାନ ସଂରକ୍ଷିତ କରିବାକୁ କହିଛନ୍ତି । ହିନ୍ଦୁ ପକ୍ଷର ଓକିଲ ବିଷ୍ଣୁ ଶଙ୍କର ଜୈନ ମୁସଲିମ ପକ୍ଷଙ୍କ ଏପରି ଦାବିକୁ ବିରୋଧ କରିଛନ୍ତି ।

୬ ଫେବୃଆରୀ ଦିନ ୨ଟାରେ ମାମଲାର ଆଗାମୀ ଶୁଣାଣି ହେବ । ଆହ୍ଲାବାଦ ହାଇକୋର୍ଟ ପୂଜା ଅର୍ଚ୍ଚନା ଉପରେ ପ୍ରତିବନ୍ଧକ ଲଗାଇନାହାନ୍ତି । କୋର୍ଟ ୟୁପି ସରକାରଙ୍କୁ ଏହି ସ୍ଥାନ ସଂରକ୍ଷିତ କରିବାକୁ କହିଛନ୍ତି । କୋର୍ଟ କହିଛନ୍ତି ଯେ, ସେଠାରେ କୌଣସି କ୍ଷତି ବା ନିର୍ମାଣ ନ ହେବା ଆବଶ୍ୟକ । ହାଇକୋର୍ଟ ପ୍ରତିବନ୍ଧକ ନ ଲଗାଇଥିବାରୁ ବର୍ତ୍ତମାନ ତେହଖାନାରେ ପୂଜା ଜାରି ରହିବ । ଆଗାମୀ ଶୁଣାଣିରେ ମୁସଲିମ ପକ୍ଷ ୧୭ ଜାନୁଆରୀ ୨୦୨୪ରେ ଦିଆଯାଇଥିବା ଆଦେଶ ଉପରେ ମଧ୍ୟ ଚ୍ୟାଲେଞ୍ଜ କରିବେ ।

Get real time updates directly on you device, subscribe now.