fbpx

ଲାଲକୃଷ୍ଣ ଆଡଭାନୀଙ୍କୁ ମିଳିବ ଭାରତ ରତ୍ନ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘୋଷଣା

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ମିଳିବ ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି । ଆଡଭାନୀଙ୍କୁ ଭାରତ ରତ୍ନ ମିଳିବା ନେଇ ମୋଦୀ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଜରିଆରେ ସୂଚନା ଦେଇଛନ୍ତି । ଦଶନ୍ଧି ଦଶନ୍ଧି ଧରି ଭାରତୀୟ ରାଜନୀତି କ୍ଷେତ୍ରକୁ ବିଶେଷ ଅବଦାନ ଦେଇ ଆସିଥିବା ଆଡଭାନୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କର ଏହା ଉପଯୁକ୍ତ ସମ୍ମାନ ।

ଏନେଇ ମୋଦୀ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଲେଖିଛନ୍ତି, ‘ବିଜେପିର ବରିଷ୍ଠ ନେତା ତଥା ଭାରତର ପୂର୍ବତନ ଉପପ୍ରଧାନମନ୍ତ୍ରୀଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବା ନେଇ ଘୋଷଣା କରିବା ମୋ ପାଇଁ ନିଶ୍ଚିତ ଭାବେ ଏକ ଖୁସିର ମୁହୂର୍ତ୍ତ । ଏହି ଅବସରରେ ମୁଁ ଆଡଭାନୀଙ୍କୁ ଅଭିନନ୍ଦନ ଜଣାଉଛି । ଆଡଭାନୀ ହେଉଛନ୍ତି ଆମ ସମୟର ସମ୍ମାନଜନକ ରାଜନେତାଙ୍କ ମଧ୍ୟରୁ ଜଣେ । ଦେଶର ବିକାଶ ଦିଗରେ ଆଡଭାନୀଙ୍କର ଅଶେଷ ଅବଦାନ ରହିଛି । ସେ ସମାଜର ସାଧାରଣ ସ୍ତରରୁ ଆରମ୍ଭ କରି ଉପପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ସେ କେନ୍ଦ୍ର ସରକାରଙ୍କ ଅଧିନରେ ଗୃହମନ୍ତ୍ରୀ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ତାଙ୍କର ସଂସଦୀୟ କାର୍ଯ୍ୟକଳାପ ସର୍ବଦା ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ହୋଇ ରହିବ ।’

ସୂଚନାଯୋଗ୍ୟ ଯେ, ଆଡଭାନ କେବଳ ବିଜେପିର ନୁହେଁ, ବରଂ ଭାରତୀୟ ରାଜନୀତିର ଭୀଷ୍ମ ପିତାମହ ରୂପେ ପରିଚିତ । ବିଜେପିକୁ ଆଗକୁ ନେବାରେ ସେ ପ୍ରମୁଖ ବିନ୍ଧାଣି ଥିଲେ । ଏକଦା ମାତ୍ର ଦୁଇଟି ଆସନ ପାଇଁ ଆଗକୁ ବଢ଼ିବାକୁ ସଂଘର୍ଷ କରୁଥିବା ବିଜେପିର ମୂଳଦୁଆ ପକାଇଥିଲେ ଆଡଭାନୀ । ୧୯୮୦ରେ ବିଜେପି ଗଠନ ହେବା ପରେ ସେ ସବୁଠାରୁ ଅଧିକ ସମୟ ଧରି ପାର୍ଟିର ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ । ସେ ୧୯୮୬ରୁ ୧୯୯୦, ୧୯୯୩ରୁ ୧୯୯୮, ୨୦୦୪ରୁ ୨୦୫ ପର୍ଯ୍ୟନ୍ତ ଏହି ପଦରେ ରହିଥିଲେ । ତିନି ଦଶକରୁ ଅଧିକ ସମୟ ଧରି ରାଜନୀତିରେ ସକ୍ରିୟ ରହିବା ପରେ ସେ ଦେଶର ଗୃହମନ୍ତ୍ରୀ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ଅଟଳ ବିହାରୀ ବାଜପେୟୀଙ୍କ କ୍ୟାବିନେଟରେ ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ଉପପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଥିଲେ ।

Get real time updates directly on you device, subscribe now.