fbpx

(Video) ସ୍କୁଲରେ ରାମାୟଣ ଶିକ୍ଷା ଦେବା ପାଇଁ ପରାମର୍ଶ ଦେଲେ ଟିଭିର ‘ରାମ’, କହିଲେ ‘ଏହା କେବଳ ସନାତନ ଧର୍ମ ପାଇଁ..’

ନୂଆଦିଲ୍ଲୀ: ରାମାନନ୍ଦ ସାଗରଙ୍କ ରାମୟଣରେ ଭଗବାନ ରାମଙ୍କ ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋବିଲ ଆଜି ମଧ୍ୟ ଲୋକମାନଙ୍କ ହୃଦୟରେ ବିରାଜମାନ କରୁଛନ୍ତି । ଆଜି ବି ଲୋକେ ତାଙ୍କୁ ରାମ ବୋଲି ଭାବନ୍ତି । ଅଯୋଧ୍ୟାରେ ହୋଇଥିବା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବା ପରେ ଅଭିନେତା ଧାର୍ମିକ ଗ୍ରନ୍ଥ ରାମାୟଣକୁ ସ୍କୁଲର ପାଠ୍ୟକ୍ରମ ଅର୍ଥାତ ସିଲାବସରେ ସାମିଲ କରିବା ବିଷୟରେ ଅଲୋଚନା କରିଛନ୍ତି ।

ଅରୁଣ ଗୋବିଲ ରାମାୟଣ ବିଷୟରେ କହିଛନ୍ତି । ସ୍କୁଲରେ ରାମାୟଣ ପଢାଯିବା ଉଚିତ ନା ନାହିଁ, ନିକଟରେ ଆରମ୍ଭ ହୋଇଥିବା ଏହି ନୂତନ ବିତର୍କରେ ସେ ନିଜର ମତ ପ୍ରକାଶ କରିଛନ୍ତି । ସେ ରାମାୟଣକୁ ଶିକ୍ଷା ସହ ଯୋଡିବା କଥାକୁ ସମର୍ଥନ କରିଛନ୍ତି । ଏହା ବ୍ୟତୀତ ସେ ଏହାର ଫାଇଦା ବିଷୟରେ ମଧ୍ୟ କହିଛନ୍ତି । ଅଭିନେତା ଏନେଇ କଣ କହିଛନ୍ତି ଆସନ୍ତୁ ଜାଣିବା..

ଏଏନଆଇ ଦ୍ୱାରା ଏକ ଭିଡିଓ ଏକ୍ସରେ ସେୟାର କରାଯାଇଛି । ଯେଉଁଠାରେ ସେ ନିଜର ରାୟ ରଖି କହିଛନ୍ତି ଯେ, ରାମାୟଣକୁ ଆମ ପାଠ୍ୟକ୍ରମରେ ସାମିଲ କରାଯିବା ଉଚିତ କାରଣ ରାମାୟଣକୁ ଧାର୍ମିକ ବୋଲି କହିବାର କୌଣସି ଯଥାର୍ଥତା ନାହିଁ । ରାମାୟଣ ହେଉଛି ଆମ ଜୀବନର ଦର୍ଶନ ।

ଅଭିନେତା ଆଗକୁ କହିଛନ୍ତି ଯେ, ଆମେ ଜୀବନରେ କିପରି ବଞ୍ଚିବା ତାହା ରାମାୟଣ ଆମକୁ ଶିକ୍ଷା ଦେଇଥାଏ । ସଂପର୍କ କିପରି ହେବା ଆବଶ୍ୟକ ତାହା ଜଣାଇଥାଏ । କେତେ ଧର୍ଯ୍ୟ ରହିବା ଆବଶ୍ୟକ ଏବଂ ବ୍ୟକ୍ତିକୁ ଶାନ୍ତି କିପରି ମିଳିପାରିବ, ଏସବୁ ଜାଣିବା କେବଳ ସନାତନ ଧର୍ମର ଲୋକମାନଙ୍କ ପାଇଁ ନୁହେଁ, ଏହା ସମସ୍ତଙ୍କ ପାଇଁ ଆବଶ୍ୟକ । ରାମାୟଣ ସମସ୍ତଙ୍କ ପାଇଁ ଏବଂ ଏଥିପାଇଁ ଏହା ଆମ ପାଠ୍ୟକ୍ରମରେ ରହିବା ନିହାତି ଆବଶ୍ୟକ ।

Get real time updates directly on you device, subscribe now.