ଦ୍ରୁତ ଗତିରେ ଆଗଉଛି ଭାରତ, ଖୁବ୍ ଶୀଘ୍ର ପଛରେ ପଡିବେ ଜାପାନ ଓ ଜର୍ମାନୀ

ନୂଆଦିଲ୍ଲୀ: ଜଣଙ୍କର ଅସଫଳତା ଅନ୍ୟର ସଫଳତା ଲାଗି ରାସ୍ତା ଖୋଲିଥାଏ । ଏହିପରି କିଛି ଜାପାନ ସହ ବି ହୋଇଛି । ଜାପାନର ଅର୍ଥ ବ୍ୟବସ୍ଥା ଏବେ ଧିମା ପଡିଯାଇଛି ଯାହାର ଫାଇଦା ଭାରତକୁ ମିଳିଛି । ନିକଟରେ ବିଶେଷ ସୂତ୍ରରୁ ଜଣାପଡିଛି କି ଜାପାନର ଅର୍ଥବ୍ୟବସ୍ଥା ଏବେ ୪ର୍ଥ ସ୍ତରକୁ ଖସିଯାଇଛି ଯେଉଁଠି ପୂର୍ବରୁ ଜର୍ମାନୀ ଥିଲା । ଏହାର ଅର୍ଥ ଏବେ ଜର୍ମାର୍ନୀ ୩ୟ ବୃହତ୍ ଅର୍ଥବ୍ୟବସ୍ଥା ପାଲଟିଯାଇଛି । କିନ୍ତୁ ଭାରତର ବିକାଶର ଗତି ଏହି ୨ ଅର୍ଥବ୍ୟବସ୍ଥା ଠାରୁ ଅଧିକ ରହିଛି ଓ ଖୁବ୍ ଶୀଘ୍ର ଏହା ଜର୍ମାନ ଓ ଜାପାନକୁ ପଛରେ ପକାଇ ୩ୟ ସ୍ଥାନରେ ପହଞ୍ଚିଯିବ ।

ବ୍ଲୁମବର୍ଗ ଅନୁଯାୟୀ ଜାପାନରେ ବିକାଶ ହାର ଏବେ ୧.୨% ରହିଛି ଯାହା ପୂର୍ବ ବର୍ଷ ସୁଦ୍ଧା ନେଗେଟିଭ୍ ଦିଗରେ ଗତି କରୁଥିଲା । ଜର୍ମାନୀ ସହ ତୁଳନା କଲେ ଏହାର ଅର୍ଥବ୍ୟବସ୍ଥା ଜର୍ମାନୀ ପଛକୁ ଚାଲିଯାଇଛି । ଏହାର ସବୁଠାରୁ ବଡ କାରଣ ଜାପାନ ମୁଦ୍ରା ୟେନର ମୂଲ୍ୟ ହ୍ରାସ ଓ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଏହାର ବୟସ୍କ ଜନସଂଖ୍ୟା । ଏପରି କ୍ଷେତ୍ରରେ ବିଶେଷଜ୍ଞ ଅନୁମାନ ଲଗାଇଛନ୍ତି କି ଖୁବ୍ ଶୀଘ୍ର ଭାରତ ଏହି ୨ ଦେଶକୁ ପଛରେ ପକାଇ ୩ୟ ସବୁଠାରୁ ବୃହତ ଅର୍ଥବ୍ୟବସ୍ଥା ବିଶିଷ୍ଟ ଦେଶ ହେବ ।
ଏକଦା ଏପରି ସମୟ ଥିଲା ଜାପାନ ବିଶ୍ୱର ସବୁଠାରୁ ବୃହତ ଅର୍ଥବ୍ୟବସ୍ଥା ଆଡକୁ ଅଗ୍ରସର ହେଉଥିଲା । କିନ୍ତୁ ୨୦୧୦ରେ ଚୀନ୍ ଜାପାନର ଅର୍ଥବ୍ୟବସ୍ଥାକୁ ପଛରେ ପକାଇ ୨ୟ ସ୍ଥାନକୁ ଆସିଯାଇଥିଲା । ଆଜି ଚୀନ୍‌ର ଅର୍ଥନୀତି ଜାପାନ ତୁଳନାରେ ୪ ଗୁଣ ବଡ ।

ଆଇଏମଏଫ୍‌ର ଆକଳନ ଅନୁଯାୟୀ ଭାରତର ବିକାଶ ହାର ଜାପାନ ଓ ଜର୍ମାନ ତୁଳନାରେ ବହୁତ ଅଧିକ ରହିଛି । ୨୦୨୬ରେ ଭାରତ ଜାପାନକୁ ପଛରେ ପକାଇ ୪ର୍ଥ ବୃହତ୍ତ ଅର୍ଥବ୍ୟବସ୍ଥା ହେବ ଓ ୨୦୨୭ରେ ଜର୍ମାନକୁ ପଛରେ ପକାଇ ୩ୟ ବୃହତ୍ତ ଅର୍ଥବ୍ୟବସ୍ଥା ହେବ । ତେବେ ଭାରତର ଏହି ବିକାଶର କାରଣ ହେଉଛନ୍ତି ଏହାର ବୃହତ୍ତ ଯୁବଶକ୍ତି । ଜର୍ମାନୀ ଓ ଜାପାନରେ ୱାର୍କିଂ ପପୁଲେସନ ଦ୍ରୁତ ଗତିରେ ହ୍ରାସ ପାଉଥିବା ବେଳେ ଭାରତରେ ଏହାର ସଂଖ୍ୟା ବଢିବାରେ ଲାଗିଛି ।