fbpx

ଇଂଲଣ୍ଡ ୩୧୯ରେ ଅଲଆଉଟ୍: ୧୨୬ ରନ୍ ଆଗରେ ରହିଛି ଟିମ୍ ଇଣ୍ଡିଆ, ବିନା ଅଶ୍ୱିନରେ କମାଲ କଲେ ଭାରତୀୟ ବୋଲର

ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ମଧ୍ୟରେ ରାଜକୋଟରେ ଚାଲିଥିବା ୩ୟ ଟେଷ୍ଟର ତୃତୀୟ ଦିନରେ ଭାରତୀୟ ବୋଲରମାନେ କମାଲ କରିଛନ୍ତି । ଇଂଲଣ୍ଡକୁ ୩୧୯ ରନରେ ଅଟକାଇବାରେ ସକ୍ଷମ ହୋଇଛନ୍ତି ଭାରତୀୟ ବୋଲର । ଦ୍ୱିତୀୟ ଦିନର ଅସମାପ୍ତ ଖେଳ ୨୦୭/୨ରୁ ଖେଳ ଆରମ୍ଭ କରିଥିବା ଇଂଲଣ୍ଡ ଆଜି ଆଉ ୧୧୨ ରନ୍ ଯୋଡ଼ିବାକୁ ସକ୍ଷମ ହୋଇଥିବା ବେଳେ ୮ଟି ୱିକେଟ ହରାଇଥିଲା । ଏହାଫଳରେ ଟିମ୍ ଇଣ୍ଡିଆ ୧୨୬ ରନରେ ଆଗୁଆ ରହିପାରିଛି ।

ମା’ଙ୍କ ଖରାପ ସ୍ୱାସ୍ଥ୍ୟ କାରଣରୁ ଆଜି ଟିମ୍ ଇଣ୍ଡିଆର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ ମ୍ୟାଚ ନ ଖେଳି ତାଙ୍କ ଘରକୁ ଚାଲିଯାଇଥିଲେ । ଏହାଫଳରେ ଟିମ୍ ଇଣ୍ଡିଆକୁ ଲାଗିଥିଲା ଏକ ବଡ଼ ଝଟକା । ତେବେ ଅଶ୍ୱିନଙ୍କ ଅନୁପସ୍ଥିତିରେ ବି ଭାରତୀୟ ବୋଲରମାନେ କମାଲ କରିଥିଲେ । ମାତ୍ର ୧୧୨ ରନ୍ ମଧ୍ୟରେ ଭାରତୀୟ ବୋଲରମାନେ ଇଂଲଣ୍ଡର ୮ଟି ୱିକେଟ ଅକ୍ତିଆର କରିଥିଲେ । ୧୫୩ ସଂଗ୍ରହ କରିଥିବା ବେନ୍ ଡକେଟ୍ଟଙ୍କୁ କୁଲଦୀପ ଯାଦବ ଶିକାର କରିଥିଲେ । ମହମ୍ମଦ ସିରାଜ ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିବା ବେଳେ କୁଲଦୀପ ୨ଟି ଓ ରବିନ୍ଦ୍ର ଜାଡ଼େଜା ୨ଟି ୱିକେଟ ହାସଲ କରିଥିଲେ ।

ଏହାପୂର୍ବରୁ ଭାରତ ପ୍ରଥମ ଇନିଂସରେ ଅଧିନାୟିକ ରୋହିତ ଶର୍ମା (୧୩୧) ଓ ରବିନ୍ଦ୍ର ଜାଡ଼େଜା (୧୧୨)ଙ୍କ ଶତକୀୟ ଇନିଂସ ବଳରେ ୪୪୫ ରନର ବଡ଼ ସ୍କୋର ଛିଡ଼ା କରିପାରିଥିଲା । ତୃତୀୟ ଦିନ ସମାପ୍ତ ସୁଦ୍ଧା ଭାରତ ଯଦି ଭଲ ପ୍ରଦର୍ଶନ କରେ, ତେବେ ଆସନ୍ତାକାଲି ପୁଣି ବ୍ୟାଟିଂ କରି ଦଳ ପାଖରେ ବଡ଼ ସ୍କୋର କରିବାର ସୁଯୋଗ ରହିବ । ଭାରତ ଏବେ ୧୦୦ରୁ ଅଧିକ ରନ୍ ଆଗୁଆ ରହିଥିବାରୁ ଟିମ୍ ଅଧିକ ସ୍କୋର କରି ଇଂଲଣ୍ଡକୁ ବ୍ୟାଟିଂ ଦେବାକୁ ପ୍ରୟାସ କରିବ । ପ୍ରଥମ ଟେଷ୍ଟ ଇଂଲଣ୍ଡ ଜିତିଥିବା ବେଳେ ଦ୍ୱିତୀୟଟି ଭାରତ ଜିତି ସିରିଜ ୧-୧ରେ ବରାବର ରହିଛି ।

Get real time updates directly on you device, subscribe now.