fbpx

ଲଜ୍ଜାଜନକ ଘଟଣା: ମଦ୍ୟପାନ କରି ସସପେଣ୍ଡ ହେଲେ କ୍ରିକେଟ କୋଚ

ନୂଆଦିଲ୍ଲୀ: ସାଧାରଣ ଭାବେ କ୍ରିକେଟକୁ ଏକ ଭଦ୍ର ଲୋକଙ୍କ ଖେଳ ବୋଲି କୁହାଯାଇଥାଏ । ତେବେ ଅନେକ ସମୟରେ କିଛି ବ୍ୟକ୍ତିବିଶେଷଙ୍କ ବେଆଇନ ତଥା ଅସାଧୁ କାର୍ଯ୍ୟ ପାଇଁ ଅନେକ ସମୟରେ ଏହି କ୍ରୀଡ଼ା ଉପରେ କଳଙ୍କର ଦାଗ ଲାଗିଥାଏ । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଗୋଟିଏ କ୍ରିକେଟ ଟିମର ମୁଖ୍ୟ କୋଚଙ୍କ ବିରୋଧରେ ମଦ୍ୟପାନ କରିବା ନେଇ ଆସିଛି ଏକ ସଙ୍ଗୀନ ଅଭିଯୋଗ ।

ସୂଚନା ମୁତାବକ, ହାଇଦ୍ରାବାଦ କ୍ରିକେଟ ଆସୋସିଏସନ (ଏଚସିଏ)ର ମହିଳା ଟିମର ମୁଖ୍ୟ କୋଚ ବିଦ୍ୟୁତ ନରସିମହାଙ୍କୁ ମଦ ସହ ଜଡ଼ିତ ଅଭିଯୋଗ ଆଧାରରେ ସସପେଣ୍ଡ କରିଦିଆଯାଇଛି । ଏହି ମାମଲାର ସମ୍ପୂର୍ଣ୍ଣ ଯାଞ୍ଚ ନ ସରିବା ପର୍ଯ୍ୟନ୍ତ ବିଦ୍ୟୁତଙ୍କ ଉପରେ ନିଲମ୍ବନ ବଳବତ୍ତର ରହିବ । ଏନେଇ ଏଚସିଏ ଅଧ୍ୟକ୍ଷ ଜଗନ ମୋହନ ରାଓ ବିଦ୍ୟୁତଙ୍କୁ ଏକ ପତ୍ର ଲେଖି ଜଣାଇଛନ୍ତି ।

ନିକଟରେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଇ ହୋଇଥିଲା । ଟିମ୍ ବସରେ ଯାତ୍ରା କରୁଥିବା ସମୟରେ ବିଦ୍ୟୁତ ମଦ୍ୟପାନ କରୁଥିବା ଭିଡିଓରେ ଦେଖାଯାଇଥିଲା । ତେବେ ଏହା ଏକ ଗମ୍ଭୀର ଓ ଚିନ୍ତାଜନକ ବିଷୟ । ଯାଞ୍ଚର ଫଳାଫଳ ଆଧାରରେ ଯାହା କିଛି ନିଷ୍ପତ୍ତି ଗ୍ରହଣ କରାଯିବ । ଯାଞ୍ଚ ସମାପ୍ତ ନହେବା ପର୍ଯ୍ୟନ୍ତ ବିଦ୍ୟୁତଙ୍କ ଉପରେ ନିଲମ୍ବନ ଆଦେଶ ଜାରି ରହିବ ବୋଲି ଏଚସିଏ ଅଧ୍ୟକ୍ଷ ଚିଠିରେ ଉଲ୍ଲେଖ କରିଛନ୍ତି ।

ତେବେ ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ବିଦ୍ୟୁତ ଅନେକ ଥର ମଦ୍ୟ ପାନ କରିଥିବା ନେଇ ଅଭିଯୋଗ ଆସିଥିଲା । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ମାସରେ ସିକେ ନାଇଡ଼ୁ ଟ୍ରଫି ଅବସରରେ ମଧ୍ୟ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଥିଲା । ସୌରାଷ୍ଟ୍ର କ୍ରିକେଟର ଅଣ୍ଡର-୨୩ ଖେଳାଳିଙ୍କ କିଟ ବ୍ୟାଗରୁ ମଦର ବୋତଲ ମିଳିଥିଲା ।

Get real time updates directly on you device, subscribe now.