fbpx

ସମୟ ସହ ଚନ୍ଦ୍ରଗ୍ରହଣ, ସୂର୍ଯ୍ୟପରାଗ ଓ ଶୁଭ-ଅଶୁଭ ମୁହୂର୍ତ୍ତର ସୂଚନା ଦେବ ବୈଦିକ ଘଡି, ମାର୍ଚ୍ଚ ୧ରେ ଲୋକାର୍ପଣ

ଭୋପାଳ:ମହାକାଳ ନଗରୀ ଉଜୈନରେ ବିଶ୍ୱର ପ୍ରଥମ ବୈଦିକ ଘଡି ମାର୍ଚ୍ଚ ୧ରୁ ଶୁଭାରମ୍ଭ ହେବ । ଏଥିପାଇଁ ୮୫ ଫୁଟ ଉଚ୍ଚତାର ଟାୱାର ନିର୍ମାଣ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଭର୍ଚୁଆଲ ଲୋକାର୍ପଣ କରିବେ । ମୁଖ୍ୟମନ୍ତ୍ରୀ ଡା.ମୋହନ ଯାଦବ ଉଜୈନକୁ ସମୟ ଗଣନା ସେଣ୍ଟର କରିବାକୁ ଚାହୁଁଛନ୍ତି ।
ଚନ୍ଦ୍ରଗ୍ରହଣ, ସୂର୍ଯ୍ୟଗ୍ରହଣ କେବେ ପଡିବ? ସୂର୍ଯ୍ୟୋଦୟ-ସୂର୍ଯ୍ୟାସ୍ତ ସମୟ କ’ଣ ରହିଛି?ଶୁଭ ମୁହୂର୍ତ୍ତ କେବେ ପଡୁଛି । ଏପରି କିଛି ସଠିକ୍ ସୂଚନା ପାଇଁ ଆପଣଙ୍କୁ ଏବେ ଆଉ ପାଞ୍ଜି ଦେଖିବାକୁ ପଡିବନି । କାରଣ ଏସବୁର ସୂଚନା ବୈଦିକ ଘଡି ହିଁ ଦେଇଦେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୧ ତାରିଖରେ ଏହି ଘଡିର ଭର୍ଚୁଆଲି ଲୋକାର୍ପଣ କରିବେ । ଏହା ବିଶ୍ୱର ପ୍ରଥମ ଏପରି ଡିଜିଟାଲ୍ ଘଡି ହେବ ଯାହା ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଟାଇମ୍‌(IST) ଓ ଗ୍ରୀନ୍‌ୱିଚ୍ ମିନ୍ ଟାଇମ୍‌(GMT) ବିଷୟରେ ସୂଚନା ଦେବା ସହ ହିନ୍ଦୁ ପଞ୍ଚାଙ୍ଗ ଓ ୩୦ ମୁହୂର୍ତ୍ତ ବିଷୟରେ ବି ସୂଚନା ଦେବ ।

ଉଜୈନରେ ଜୀବାଜି ପରୀକ୍ଷା କେନ୍ଦ୍ର ନିକଟରେ ଥିବା ଜନ୍ତର ମନ୍ତର ଉପରେ ୮୫ ଫୁଟର ଟାୱାର ନିର୍ମାଣ କରାଯାଇଛି । ଏହା ଉପରେ ୧୦/୧୨ ସାଇଜ୍‌ର ବୈଦିକ ଘଡି ଲଗାଯିବ । ଏଠାରେ ସୂଚାଇ ଦିଆଯାଇପାରେ କି ଉଜୈନକୁ କାଳ ଗଣନା କେନ୍ଦ୍ର ଭାବରେ ବିବେଚନା କରାଯାଏ । ମୁଖ୍ୟମନ୍ତ୍ରୀ ଡା.ମୋହନ ଯାଦବ କହିଛନ୍ତି ସେ ଉଜୈନକୁ ଟାଇମ୍ କାଲକୁଲେସନ ସେଣ୍ଟର କରିବାକୁ ଚାହୁଁଛନ୍ତି । ବିଶେଷଜ୍ଞଙ୍କ ମତ ୩୦୦ ବର୍ଷ ପୂର୍ବେ ଉଜୈନରୁ ହିଁ ସାରା ବିଶ୍ୱର ଷ୍ଟାଣ୍ଡାର୍ଡ ଟାଇମ୍ ନିର୍ଦ୍ଧାରିତ କରାଯାଉଥିଲା । ଏଠାରେ ଥିବା ଜୀବାଜି ଗବେଷଣା କେନ୍ଦ୍ରରେ ସମୟ ଦେଖିବା ଲାଗି ଖରା ଘଡି ନିର୍ମାଣ କରାଯାଇଥିଲା । ଏହାଦ୍ୱାରା ଉଜୈନ ସହିତ ଦେଶର ବିଭିନ୍ନ ସହରରେ ସମୟର ଆକଳନ କରାଯାଇ ପାରୁଛି ।

ତେବେ ବୈଦିକ ଘଡି ଇଣ୍ଟରନେଟ୍ ଓ ଗ୍ଲୋବାଲି ପୋଜିସନିଂ ସେଣ୍ଟର(GPS) ସହ ଜଡିତ ହୋଇରହିବ । ଏଥିରୁ IST, GMT ସହିତ ଭାରତୀୟ ସମୟ ଗଣନା ବିକ୍ରମ ସମ୍ବତର ସୂଚନା ମିଳିବ । ସୂର୍ଯ୍ୟୋଦୟ-ସୂର୍ଯ୍ୟାସ୍ତ ସହିତ ଗ୍ରହଯୋଗ , ଭଦ୍ରା, ଚନ୍ଦ୍ର ସ୍ଥିତି, ନକ୍ଷତ୍ର, ସୂର୍ଯ୍ୟଗ୍ରହଣ, ଚନ୍ଦ୍ର ଗ୍ରହଣ, ଅମୃତ କାଳ ଆଦି ବିଷୟରେ ସୂଚନା ମିଳିବ । ଏହା ସହିତ ପାଣିପାଗ ସମ୍ବନ୍ଧିତ ସୂଚନା ବି ମିଳିବ । ଏହି ଘଡିରେ ପ୍ରତି ଘଣ୍ଟାରେ ବିଭିନ୍ନ ଧାର୍ମିକ ସ୍ଥଳ ନଜର ଆସିବ । ଏହି ଘଡି ସହ ଜଡିତ ମୋବାଇଲ୍ ଆପ୍ ବି ଲଞ୍ଚ ହେବ । ଏହାକୁ ଆରୋହ ଶ୍ରୀବାସ୍ତବ ଡିଜାଇନ୍ କରୁଛନ୍ତି ଓ ଏହାର ନାମ ବିକ୍ରମାଦିତ୍ୟ ବୈଦିକ ଘଡି ରଖାଯିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.