fbpx

ଫୋନରେ ପାଣି ପଶିବା ପରେ ଚାଉଳରେ ରଖୁଥିଲେ ହୁଅନ୍ତୁ ସାବଧାନ; ଏହା ପଛର କାରଣ କହିଲା ଆପଲ

ନୂଆଦିଲ୍ଲୀ: ଅଧିକାଂଶ ଲୋକଙ୍କର ଅଭ୍ୟାସ ଥାଏ ଥରେ ଅନ୍ୟର ଜିନିଷକୁ ଅନୁସରଣ କରିବା କିମ୍ବା ପରୀକ୍ଷା ନିରୀକ୍ଷା କରିବା । ଏମିତି ଏକ ଉପାୟ ହେଉଛି ଫୋନ୍ ଓଦା ହେଲେ ଲୋକେ ଏହାକୁ ଚାଉଳରେ ଶୁଖାଇବା ପାଇଁ ରଖନ୍ତି। ତେବେ ବେଳେବେଳେ ଏପରି କରିବା ପରେ କିଛି ଲୋକଙ୍କ ଫୋନ ମଧ୍ୟ ଅନ୍ ହୋଇଯାଏ । କିନ୍ତୁ କିଛି ଲୋକଙ୍କ ଫୋନ୍ ଠିକ୍ ହୁଏନାହିଁ। ଆପଲ କମ୍ପାନୀ ମଧ୍ୟ ଏହାକୁ ନେଇ ଚେତାବନୀ ଦେଇଛି । ଆଜି ଆମେ ଆପଣଙ୍କୁ କହିବୁ ଏହି ପଦ୍ଧତି କେତେ ଠିକ୍।

ଅଧିକାଂଶ ସମୟରେ ସ୍ମାର୍ଟଫୋନ୍ ବ୍ୟବହାରକାରୀ ଫୋନ୍ ଓଦା ହେବା ପରେ ଶୁଖିବା ପାଇଁ ଚାଉଳରେ ରଖନ୍ତି। ଏହା ପଛର କାରଣ ହେଉଛି ଚାଉଳ ଫୋନରେ ଥିବା ପାଣିକୁ ଶୋଷି ନେବ ଏବଂ ଫୋନ ଠିକ୍ ହୋଇଯିବ । କିନ୍ତୁ ଆପଲ କମ୍ପାନୀ ଏହାକୁ ଏକ ବିପଜ୍ଜନକ ଉପାୟ ବୋଲି ବର୍ଣ୍ଣନା କରିଛି। ଏହା ଦ୍ୱାରା ଫୋନ୍ କ୍ଷତିଗ୍ରସ୍ତ ହୋଇପାରେ ବୋଲି ଆପଲ୍ କହିଛି। ନିକଟରେ ଆପଲର ୱେବସାଇଟରେ ହୋଇଥିବା ଏକ ପରିବର୍ତ୍ତନ ଅନୁଯାୟୀ ଚାଉଳରେ ଓଦା ଫୋନ୍ ଲଗାଇବା ବାସ୍ତବରେ କ୍ଷତିକାରକ ହୋଇପାରେ । କାରଣ ଚାଉଳର ଛୋଟ ଛୋଟ ଖଣ୍ଡ ଫୋନ୍ ଭିତରେ ଏହାକୁ ଖରାପ କରିଦେଇଥାଏ।

ଆପଲ କହିଛି ଯେ, ପ୍ରଥମେ ଫୋନ୍ ଏବଂ ଚାର୍ଜିଂ କେବୁଲ୍ ସମ୍ପୂର୍ଣ୍ଣ ଶୁଖିଲା ନ ହେବା ପର୍ଯ୍ୟନ୍ତ ଚାର୍ଜ କରିବା ଠିକ୍ ନୁହେଁ। ଏହାବ୍ୟତୀତ ଫୋନ୍ କୁ ଶୁଖାଇବା ପାଇଁ ଏହାକୁ ସାମାନ୍ୟ ତଳକୁ ଓହ୍ଲାଇ ହାତରେ ହାଲୁକା ଚାପି ଦେବା ଉଚିତ, ଯାହାଦ୍ୱାରା ଫୋନରେ ପଶିଥିବା ପାଣି ବାହାରିଯିବ। ଏହା ଛଡ଼ା ଆପଣଙ୍କ ଫୋନକୁ ଭେଣ୍ଟିଲେଟେଡ୍ ସ୍ଥାନରେ ରଖିବା ଉଚିତ୍। ଫୋନ୍ କୁ ଶୁଖାଇବା ପାଇଁ ହିଟର, ହେୟାରଡ୍ୟାର କିମ୍ବା ଏୟାର ବ୍ଲୋୟର ବ୍ୟବହାର କରିବା ଉଚିତ ନୁହେଁ ବୋଲି ଆପଲ୍ କହିଛି। ଏଥିସହିତ ଚାର୍ଜିଂ ପୋର୍ଟରେ କପା କିମ୍ବା ଟିସୁ ପେପର ଭଳି କୌଣସି ବାହ୍ୟ ଜିନିଷ ରଖିବା ଠିକ୍ ନୁହେଁ।

Get real time updates directly on you device, subscribe now.