ୱାଇଏସ ଶର୍ମିଲା ରେଡ୍ଡୀ ଗିରଫ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ପ୍ରଦେଶ କଂଗ୍ରେସ କମିଟିର ସଭାନେତ୍ରୀ ୱାଇଏସ ଶର୍ମିଲା ରେଡ୍ଡୀ ଗିରଫ ହୋଇଛନ୍ତି । ଶର୍ମିଲାଙ୍କ ସହିତ କଂଗ୍ରେସ ଦଳର ୪୦ ଜଣ କର୍ମୀଙ୍କୁ ମଧ୍ୟ ଗିରଫ କରାଯାଇଥିବା ଜଣାପଡ଼ିଛି । ରାଜ୍ୟରେ ଶିକ୍ଷକ ନିଯୁକ୍ତି ସମ୍ପର୍କିତ ଜିଲ୍ଲା ଚୟନ କମିଟି (ଡିଏସସି)ର ବିଜ୍ଞପ୍ତିକୁ ବିରୋଧ କରି ଶର୍ମିଲା ଆନ୍ଦୋଳନ କରିଥିଲେ । ଗୃହବନ୍ଦୀରୁ ବର୍ତ୍ତିବା ପାଇଁ ଗତ ୨୧ ତାରିଖ ରାତିରେ ଶର୍ମିଲା ବିଜୟୱାଡ଼ା ସ୍ଥିତ ପାର୍ଟି କାର୍ଯ୍ୟାଳୟରେ ରାତିଯାପନ କରିଥିଲେ ।

ଗିରଫ ପରେ ଶର୍ମିଲାଙ୍କୁ ମଙ୍ଗଳଗିରି ଟାଉନ୍ ପୋଲିସ ଷ୍ଟେସନକୁ ନିଆଯାଇଥିଲା ଓ ତାଙ୍କୁ ସନ୍ଧ୍ୟା ବେଳେ ଛାଡ଼ି ଦିଆଯାଇଥିଲା । ଶର୍ମିଲାଙ୍କୁ ପୋଲିସ ଗିରଫଦାରୀ ସମୟରେ କଂଗ୍ରେସ କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ଦେଖିବାକୁ ମିଳିଥିଲା । କଂଗ୍ରେସ ବେକାରୀ ଯୁବକ, ଯୁବତୀଙ୍କ ସମର୍ଥନରେ ଏହି ଆନ୍ଦୋଳନ ଚଳାଇଥିବା ବେଳେ ସେମାନଙ୍କୁ ଗିରଫ କରିବା ନେଇ ଶର୍ମିଲା ସରକାରଙ୍କୁ ସମାଳୋଚନା କରିଥିଲେ । ସରକାର ୨୩ ହଜାର ନିଯୁକ୍ତି ଦେବା ନେଇ ପ୍ରତିଶ୍ରୁତି ଦେଇଥିବା ବେଳେ ଡିଏସସି ବିଜ୍ଞପ୍ତିରେ ମାତ୍ର ୬ ହଜାର ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେଣୁ ସରକାର ବେକାର ଯୁବକ, ଯୁବତୀଙ୍କୁ କ୍ଷମା ମାଗିବାକୁ ଶର୍ମିଲା ଦାବି କରିଥିଲେ ।

ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ମାସ ୪ ତାରିଖରେ ଶର୍ମିଲା କଂଗ୍ରେସରେ ସାମିଲ ହୋଇଥିଲେ । ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ବରିଷ୍ଠ ନେତା ରାହୁଲଙ୍କ ଗାନ୍ଧିଙ୍କ ଉପସ୍ଥିତିରେ ସେ ହାତ ଧରିଥିଲେ । ନିକଟରେ ସମାପ୍ତ ହୋଇଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ବିପୁଳ ବିଜୟ ହାସଲ କରିଥିବା ବେଳେ ଶର୍ମିଲାଙ୍କୁ ନେଇ ଦଳ ଏକ ବଡ଼ ଗେମ୍ ଖେଳିବାରେ ବୋଲି ଚର୍ଚ୍ଚା ହେଉଥିଲା ।

Get real time updates directly on you device, subscribe now.