ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗର ସହର ସମେତ ଆଖପାଖ ଅଞ୍ଚଳରେ ଡାଇରିଆ ଯୋଗୁ ପ୍ରାୟ ୫୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। କୋରେଇ ବ୍ଲକ ଖମଣ ପଞ୍ଚାୟତ ସଙ୍ଖଚିଲା, ଭିକିପୁର, ଲକ୍ଷ୍ମୀ ନଗର, ଚୋରଦା, ଗୁରୁସାହି, ରାଧାନଗର, ଉଦୟପାଟଣା, ଠାକୁର ପାଟଣା, ଦାନଗଦି ବ୍ଳକ ରାଛିପୁର, ନେଳୀବାରି, ପୌରାଞ୍ଚଳ ମୁଣ୍ଡମାଳ, ଖଣ୍ଡାହତା, ରମ୍ପାସ ଆଦି ଅଞ୍ଚଳର ଲୋକ ଏଥିରେ ଆକ୍ରାନ୍ତ ରହିଥିବା ସୂଚନା ରହିଛି। ସମସ୍ତ ରୋଗୀଙ୍କୁ ଯାଜପୁରରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରୁ ୧୫ ଗୁରୁତର ରୋଗୀଙ୍କୁ ଯାଜପୁର ଓ କଟକ ସ୍ଥାନାନ୍ତରିତ କରାଯାଇଛି। ତେବେ ଏଭଳି ହେବାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ।
ସୂଚନା ଅନୁଯାୟୀ, ହଠାତ ଏତେ ସଂଖ୍ୟକ ଡାଇରିଆ ରୋଗୀ ଡାକ୍ତରଖାନାକୁ ଆସିବା ପରେ ଆବଶ୍ୟକ ମୁତାବକ ଶଯ୍ୟା ନଥିବାରୁ ସେମାନଙ୍କୁ କୋଭିଡ ୱାର୍ଡରେ ଚିକିତ୍ସା କରାଯାଉଛି। ଅନ୍ୟପଟେ ସାମାନ୍ୟ ଆକ୍ରାନ୍ତ ହୋଇଥିବା ରୋଗୀମାନଙ୍କୁ ପ୍ରତିଷେଧକ ଇଞ୍ଜେକସନ୍ ଓ ବଟିକା ଦେଇ ଘରକୁ ପଠାଇ ଦିଆଯାଇଛି। ସେପଟେ ଖବରପାଇ ସିଡିଏମଓ ଡାକ୍ତର ଶିବାଶିଷ ମହାରଣା, ଡିପିଏଚ୍ଓ ଏସ୍ ବଳ, ଆଡିସନାଲ ପୋଗ୍ରାମ ଅଫିସର ଯାଜପୁରରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଁଚି ତଦନ୍ତ କରିଛନ୍ତି। କିନ୍ତୁ ଏଭଳି ହେବାର ସଠିକ କାରଣ ଜଣା ପଡିନଥିବା ବେଳେ ଏହା ଜଳବାୟୁ ପରିବର୍ତ୍ତନ କାରଣ ବୋଲି କୁହାଯାଉଛି।