fbpx

ବୈଜ୍ଞାନିକଙ୍କ ସତର୍କବାଣୀ: ଏଥର ରେକର୍ଡ ଭାଙ୍ଗିବ ତାତି

ଭୁବନେଶ୍ୱର: ଚଳିତବର୍ଷ ରେକର୍ଡ ଭାଙ୍ଗିବ ତାତି । ଏପରି ଏକ ସତର୍କବାଣୀ ଦେଇଛନ୍ତି ବୈଜ୍ଞାନିକ । ସେମାନଙ୍କ ତଥ୍ୟ ଅନୁଯାୟୀ ଗତବର୍ଷର ତାତି ୧ଲକ୍ଷ ବର୍ଷର ରେକର୍ଡ
ଭାଙ୍ଗିଥିବାବେଳେ ଚଳିତବର୍ଷର ରୌଦ୍ରତାପ ବିଗତ ବର୍ଷର ସବୁ ରେକର୍ଡକୁ ଭାଙ୍ଗିଦେବ । ଘନ କଂକ୍ରିଟ ଜଙ୍ଗଲ, ଜୈବ ଇନ୍ଧନ ଦ୍ୱାରା ଗାଡ଼ି ଚଳାଚଳ, ବୃକ୍ଷଲତା ଇତ୍ୟାଦିରେ ଘନଧୂଳି ଆସ୍ତରଣ ଏବଂ ବାୟୁମଣ୍ଡଳରେ ଅଙ୍ଗାରମାତ୍ରା ବୃଦ୍ଧି ସହ ତାପମାତ୍ରାରେ ବୃଦ୍ଧି ଘଟିବ ।

ଅନ୍ୟପକ୍ଷରେ ଚଳିତବର୍ଷ ଏଲନିନୋର ପ୍ରଭାବ ଅଧିକ ରହିବାକୁ ଥିବାବେଳେ ପବନ ଚଳାଚଳ କ୍ଷେତ୍ରରେ ଏହା ପ୍ରତିବନ୍ଧକ ସୃଷ୍ଟି କରିବ । ଫଳରେ ଝାଞ୍ଜି ପବନ ଓ ପ୍ରଚଣ୍ଡ ଖରା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିବ ବୋଲି ବୈଜ୍ଞାନିକମାନେ ସତର୍କ କରାଇ ଦେଇଛନ୍ତି । ଆଗକୁ ରାତିର ତାପମାତ୍ରାରେ ଯଥେଷ୍ଟ ବୃଦ୍ଧି ଘଟିବ । ଗତ କିଛିଦିନ ହେବ ରାଜ୍ୟରେ ଟାଣ ଖରା ଅନୁଭୂତ ହେଉଥିବାବେଳେ ଦୁଇଦିନ ହେବ ପାଗରେ ସାମାନ୍ୟ ପରିବର୍ତ୍ତନ ଘଟିଛି । ସାରା ରାଜ୍ୟରେ ମେଘୁଆ ପାଗ ସହ ପାରଦ ତଳମୁହାଁ ହୋଇଛି । ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରାରେ ହ୍ରାସ ଘଟିଛି ।

ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଝିପି ଝିପି ବର୍ଷା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏଭଳି ପାଗ ଆଉ ତିନିଦିନ ଜାରି ରହିବ । ପଶ୍ଚିମାଝଡ଼ ଏବଂ ଗୁରୁଚାପ ବଳୟ ସକ୍ରିୟ ଥିବାରୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ବାୟୁମଣ୍ଡଳକୁ ପ୍ରବେଶ କରୁଛି । ତେବେ ବର୍ଷା ଛାଡ଼ିଯିବା ପରେ ପୁଣି ଥରେ ଖରାର ପ୍ରାଦୁର୍ଭାବ ଦେଖାଦେବ । ଏବେ ଫେବୃଆରୀ ମାସରେ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୭ ଡିଗ୍ରୀ ଟପିଯାଇଛି । ଆଗକୁ ଏହା ଆହୁରି ୩ରୁ ୪ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଭୁବନେଶ୍ୱରର ତାପମାତ୍ରା ଏବେ ୩୦ ଡିଗ୍ରୀ ଭିତରେ ସୀମିତ ରହିଛି । ମାଘ ମାସରେ ବାଘପରି ଶୀତ ହେବା ସମୟରେ ଏବେ ଖରାର ପ୍ରକୋପ ଦେଖିବାକୁ ମିଳୁଛି । ଯଦି ଫେବୃଆରୀରେ ସ୍ଥିତି ଏପରି ତେବେ ଏପ୍ରିଲ, ମେ ବେଳକୁ ସ୍ଥିତି ନିଶ୍ଚିତ ଭାବେ ସଙ୍ଗୀନ ରୂପ ଧାରଣ କରିବ ବୋଲି ଆଶଙ୍କା ପ୍ରକାଶ ପାଉଛି । ଦୁଇଦିନ ତଳେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ହିଟ୍ ୱେଭ୍ ନେଇ ମାର୍ଗଦର୍ଶିକା ଜାରି କରାଯାଇଛି । ଏପରିକି ଅଂଶୁଘାତ ପାଇଁ ସତର୍କତା ଅବଲମ୍ବନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ସେହିପରି ହସ୍ପିଟାଲଗୁଡ଼ିକରେ ଚିକିତ୍ସା ପାଇଁ ବେଡ୍ ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି ।

Get real time updates directly on you device, subscribe now.