ଓଡ଼ିଶା ଭାସ୍କର: ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଐତିହାସିକ ବାରବାଟୀ ଷ୍ଟାଡିୟମର ପୁନଃନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଗଭର୍ଣ୍ଣିଂ କାଉନସିଲ ଅଧ୍ୟକ୍ଷ, ଓସିଏ ସଭାପତି, ଓଡ଼ିଶା ଫୁଟ୍ବଲ୍ ସଂଘ (ଫାଓ) ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ ପଠାନ ଓ ପଜ୍ଞାନ ଓଝା ମଧ୍ୟ କାର୍ଯ୍ୟକ୍ରମରେ ଜଡ଼ିତ ଥିଲେ। ବାରବାଟୀ ଷ୍ଟାଡିୟମ୍ର ଶିଳାନ୍ୟାସ ସହିତ ମୁଖ୍ୟମନ୍ତ୍ରୀ ରାଜ୍ୟର କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ପୁରୀସ୍ଥିତ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ, ବ୍ରହ୍ମପୁରରେ ସ୍ପୋର୍ଟ୍ସ କମ୍ପେ୍ଲକ୍ସ, ଯାଜପୁରରେ ସ୍ପୋର୍ଟ୍ସ କମ୍ପେ୍ଲକ୍ସ, ଓସିଏ ଦ୍ୱାରା ବିକଶିତ ୪୨ଟି କ୍ରିକେଟ ଏକାଡେମୀ, ପୁରୀରେ ମହିଳା କ୍ରିକେଟ ଏକାଡେମୀ, ଗଞ୍ଜାମରେ ଭାରୋତ୍ତୋଳନ ଏକାଡେମୀ, ଝାରସୁଗୁଡ଼ା କ୍ରିକେଟ ଗ୍ରାଉଣ୍ଡ, ଯାଜପୁରରେ ହକି ପ୍ରଶିକ୍ଷଣ କେନ୍ଦ୍ର ଭଳି ଏକାଧିକ କ୍ରୀଡ଼ା ଭିତ୍ତିଭୂମୀର ଉଦଘାଟନ କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ସମ୍ବଲପୁରରେ ଭିଏସଏସ କ୍ରିକେଟ ଷ୍ଟାଡିୟମର ପୁନଃବିକାଶ, ବରଗଡ଼ରେ ସ୍ପୋର୍ଟ୍ସ କମ୍ପେ୍ଲକ୍ସ, ଢେଙ୍କାନାଳରେ ସ୍ପୋର୍ଟ୍ସ କମ୍ପେ୍ଲକ୍ସ ଏବଂ ଯାଜପୁରରେ ସ୍ପୋର୍ଟ୍ସ ଏକାଡେମୀ ଭଳି କ୍ରୀଡ଼ା ଭିତ୍ତିଭୂମୀର ଭିତ୍ତିପ୍ରସ୍ତର ରଖିଛନ୍ତି।
ସୂଚନା ଥାଉକି, ଦୀର୍ଘ ବର୍ଷ ପରେ ନବକଳେବର ହେବାକୁ ଯାଉଛି ଏହି ଐତିହାସିକ ବାରବାଟୀ ଷ୍ଟାଡିୟମ। କାରଣ ବାରବାଟୀ ଷ୍ଟାଡିୟମକୁ ବିଶ୍ୱସ୍ତରୀୟ ମାନ୍ୟତା ଦେବା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ତେବେ ୧୯୫୨ ମସିହାରୁ ଓଡ଼ିଶାକୁ ସ୍ୱତନ୍ତ୍ର ପରିଚୟ ଦେଇଥିବା ଐତିହାସିକ ବାରବାଟୀ ଷ୍ଟାଡିୟମକୁ ସମ୍ପୂର୍ଣ୍ଣ ଭଙ୍ଗାଯାଇ ପୁଣିଥରେ ବିଶ୍ୱସ୍ତରୀୟ କରାଯିବ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି । ନୂଆ ଷ୍ଟାଡିୟମରେ ଅଧିକ ଦର୍ଶକଙ୍କ ପାଇଁ ଷ୍ଟାଡିୟମର କ୍ଷମତା ବୃଦ୍ଧି କରାଯିବ। ବର୍ତ୍ତମାନ ୪୨ ହଜାର ଦର୍ଶକ ବ୍ୟବସ୍ଥା ରହିଥିବା ବେଳେ ନୂଆ ଷ୍ଟାଡିୟମରେ ୬୦ ହଜାରକୁ ଦର୍ଶକ କ୍ଷମତା ବୃଦ୍ଧି ପାଇବ। ସେହିପରି ଏଠାରେ ସ୍ପୋର୍ଟ୍ସ କମ୍ପେ୍ଲକ୍ସ, ଅତ୍ୟାଧୁନିକ ଜିମ୍ ସେଣ୍ଟର, ମଲ୍, ଅଫିସ୍, ଷ୍ଟାର ହୋଟେଲ ଆଦି ସୁବିଧା ରହିବ। ଷ୍ଟାଡିୟମ ସମ୍ମୁଖକୁ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ବିକଶିତ କରାଯିବ।