fbpx

ଅଭିନେତ୍ରୀ ତଥା ପୂର୍ବତନ ସାଂସଦ ଜୟାପ୍ରଦାଙ୍କୁ ପଳାତକ ଘୋଷଣା କଲା କୋର୍ଟ

ନୂଆଦିଲ୍ଲୀ: ବଲିଉଡ଼ ଅଭିନେତ୍ରୀ ତଥା ପୂର୍ବତନ ସାଂସଦ ଜୟାପ୍ରଦାଙ୍କୁ ସ୍ୱତନ୍ତ୍ର ଅଦାଲତ ପଳାତକ ଘୋଷଣା କରିଛନ୍ତି । ୨୦୧୯ରେ ନିର୍ବାଚନ ସମୟୟରେ ଆଚରଣବିଧି ଉଲଙ୍ଘନ କରିଥିବା ନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଜୟାପ୍ରଦାଙ୍କ ବିରୋଧରେ ଥିବା ଦୁଇଟି ମାମଲାର ଶୁଣାଣି ସମୟରେ ସେ ଅଦାଲତରେ ହାଜର ହୋଇନଥିବାରୁ ତାଙ୍କୁ ପଳାତକ ଘୋଷଣା କରାଯାଇଛି । ଜୟାଙ୍କ ବି‌ରୋଧରେ ୮୨ସିଆରପିସିର କାର୍ୟ୍ୟାନୁଷ୍ଠାନ କରି ପୁଲିସ ଅଧ୍ୟକ୍ଷକଙ୍କୁ ଡେପୁଟି ଏସପିଙ୍କ ନେତୃତ୍ବରେ ଏକ ଟିମ ଗଠନ କରି ୨୦୨୪ ମାର୍ଚ୍ଚ ୬ ସୁଦ୍ଧା ହାଜର କରିବାକୁ ନିର୍ଦ୍ଦେଶ ଦିଅଯାଇଛି।

ସୂଚନାରୁ ପ୍ରକାଶ ୨୦୧୯ ଲୋକସଭା ନିର୍ବାଚନରେ ଜୟାପ୍ରଦା ବିଜେପି ଟିକଟରେ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ । ଏହି ନିର୍ବାଚନ ସମୟୟରେ ଆଚରଣବିଧି ଉଲଙ୍ଘନ କରିଥିବା ନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏହି ମାମଲା ଆଧାରରେ ତାଙ୍କ ବିରୋଧରେ ୭ ଥର ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲା ଅଦାଲତ । ମାତ୍ର ସେ ଅଦାଲତରେ ହାଜର ହୋଇନଥିଲେ । ଏହାକୁ ନେଇ ସ୍ୱତନ୍ତ୍ର ଏମପି/ଏମଏଲଏ ଅଦାଲତର ବିଚାରପତି ଶୋଭିତ ବଂଶଲ ଜୟାପ୍ରଦାଙ୍କୁ ପଳାତକ ଘୋଷଣା କରିବା ସହିତ ତାଙ୍କୁ ଆସନ୍ତା ମାର୍ଚ୍ଚ ୬ରେ ଅଦାଲତରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କହିରଖୁଛୁ ହିନ୍ଦୀ ଓ ତେଲୁଗୁ ଚଳଚ୍ଚିତ୍ର ଜଗତର ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ ହେଉଛନ୍ତି ଜୟାପ୍ରଦା । ୧୯୯୪ରେ ସେ ତେଲୁଗୁ ଦେଶମ ପାର୍ଟିରେ ଯୋଗ ଦେଇଥିଲେ । ୧୯୯୬ରୁ ୨୦୦୨ ପର୍ଯ୍ୟନ୍ତ ସେ ରାଜ୍ୟସଭା ସାଂସଦ ଥିଲେ । ୨୦୦୪ରେ ସମାଜବାଦୀ ପାର୍ଟିରେ, ୨୦୧୪ରେ ରାଷ୍ଟ୍ରୀୟ ଲୋକ ଦଳ ଓ ୨୦୧୯ରେ ବିଜେପିରେ ଯୋଗ ଦେଇଥିଲେ । ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ସେ ଉତ୍ତରପ୍ରଦେଶ ରାମପୁର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।

 

Get real time updates directly on you device, subscribe now.