fbpx

୨୦୦୦ଟଙ୍କା ହେଲା ୨୦ ଲିଟର ପାଣି, ରୋଷେଇ କରିବାକୁ ବି ମିଳୁନି ପାଣି

ବେଙ୍ଗାଲୁର: କାବେରୀ ନଦୀରେ ଜଳ ହ୍ରାସ ଓ ବର୍ଷା ଅଭାବରୁ କର୍ଣ୍ଣାଟକ ବେଙ୍ଗାଲୁରର କିଛି ଭାଗରେ ଏବେ ପାନୀୟ ଜଳ ସଂକଟ ଅତି ଗମ୍ଭୀର ହେବାରେ ଲାଗିଛି । ଫଳରେ ଲୋକମାନେ ପାଣି ପାଇଁ ଟ୍ୟାଙ୍କର ଓ ଜଳ ଯୋଗାଣ ଷ୍ଟେସନ ସାମ୍ନାରେ ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହୋଇ ରହୁଛନ୍ତି । ବେଙ୍ଗାଲୁରର ହ୍ୱାଇଟ୍‌ଫିଲ୍ଡ, ମହାଦେବପୁରା ଓ ଆରଆର ନଗର ପରି ଅଞ୍ଚଳରେ ଲୋକମାନେ ଘୋର ଜଳ ସଂକଟର ସାମ୍ନା କରୁଛନ୍ତି ।

ବେଙ୍ଗାଲୁରର ବହୁ ଅଞ୍ଚଳରେ ନଳକୂପ ଶୁଖିଗଲାଣି । ଏଣୁ ଲୋକଙ୍କୁ ପାଣି ଟ୍ୟାଙ୍କର ଉପରେ ନିର୍ଭର କରିବାକୁ ପଡୁଛି । ମିଳିଥିବା ସୂଚନା ଅନୁସାରେ ଯଦି ଲୋକମାନେ ଏକରୁ ଅଧିକ ପାତ୍ରରେ ପାଣି ନେବାକୁ ଯାଉଛନ୍ତି ତେବେ ସଂପୃକ୍ତ ଅଧିକାରୀ ତାଙ୍କୁ ଫେରାଇ ଦେଉଛନ୍ତି । ଏପରିକି ପିଲାମାନେ ପାଣି ଆଣିବାକୁ ଗଲେ ଅଧିକାରୀ ସେମାନଙ୍କୁ ଫେରାଇ ଦେଉଛନ୍ତି । ଲୋକଙ୍କ ପାଖରେ ଗାଧୋଇବାକୁ ଓ ସେମାନଙ୍କ ପାଳିତ ପଶୁଙ୍କୁ ପିଇବାକୁ ବି ପାଣି ନାହିଁ । ସେମାନଙ୍କୁ ରୋଷେଇ କରିବା ପାଇଁ ବି ନଗର ନିଗମ ପାଣି ଉପରେ ନିର୍ଭର କରିବାକୁ ପଡୁଛି । ଗତ ୩ ମାସ ଧରି ଲୋକମାନେ ଏପରି ପାଣି ସଂକଟ ଦେଇ ଗତି କରୁଛନ୍ତି ।

ଲୋକମାନେ ଅଭିଯୋଗ କରିଛନ୍ତି ପିଇବା ପାଣି ଲାଗି ମାତ୍ର ଗୋଟିଏ କେନ୍‌ରେ ପାଣି ନେବାକୁ ଅନୁମତି ମିଳୁଛି । ପ୍ରତି କେନ୍ ଅର୍ଥାତ୍ ୨୦ ଲିଟର ପାଣି ପାଇଁ ଲୋକଙ୍କୁ ୨୦୦୦ଟଙ୍କା ଦେବାକୁ ପଡୁଛି । ପୂର୍ବରୁ ଏଥିପାଇଁ ୬୦୦ରୁ ୧୦୦୦ଟଙ୍କା ଦେବାକୁ ପଡୁଥିଲା । ଲୋକମାନେ କହିଛନ୍ତି ସେମାନେ ଘରୋଇ ଟ୍ୟାଙ୍କରକୁ ପାଣି ରେଟ୍ କମ୍ କରିବାକୁ କହିବାରୁ ସେମାନେ ତାଙ୍କ ଅଞ୍ଚଳକୁ ଆସିବା ବନ୍ଦ କରିଦେଲେ । ପ୍ରତିଦିନ ପାଣି ସମସ୍ୟା ନେଇ ସରକାରଙ୍କୁ ଇ-ମେଲ୍ କରାଯାଉଛି କିନ୍ତୁ କିଛି ଲାଭ ମିଳୁନାହିଁ । ବେଙ୍ଗାଲୁରରେ ଜଳ ସଂକଟ ନେଇ ବିଶେଷଜ୍ଞ ଚେତାବନୀ ଦେଇଥିଲେ । କିନ୍ତୁ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି । ଶହ ଶହ ଆପାର୍ଟମେଣ୍ଟରେ ଗୋଟିଏ ବୁନ୍ଦା ବି ପିଇବା ପାଣି ମିଳୁନି । ସହରର ୫୦% ନଳକୂପ ଖରାଦିନ ଆସିବା ପୂର୍ବରୁ ଶୁଖିଯାଇଛି ।

Get real time updates directly on you device, subscribe now.