CAA ଆଇନ ଲାଗୁ କରିବା ପାଇଁ ଯଦି କୌଣସି ରାଜ୍ୟ ଅଗ୍ରାହ୍ୟ କରେ, ତେବେ ଏଥିପାଇଁ ସମ୍ବିଧାନରେ କ’ଣ ଆଇନ ରହିଛି, କ’ଣ କହୁଛନ୍ତି ଏକ୍ସପର୍ଟ

ନୂଆଦିଲ୍ଲୀ: ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଲାଗୁ କରିବା ପାଇଁ କେନ୍ଦ୍ର ସରକାର ନିକଟରେ ବିଜ୍ଞପ୍ତି ଜାରି କରିସାରିଛନ୍ତି । ତେବେ ଏହା ମଧ୍ୟରେ କିଛି ରାଜ୍ୟ ସିଏଏ ଲାଗୁ ନ କରିବା ନେଇ କହିଛନ୍ତି । ତାମିଲନାଡ଼ୁରେ ସିଏଏ ଲାଗୁ ହେବା ନେଇ ସେ ଅନୁମତି ଦେବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍ ଘୋଷଣା କରିଛନ୍ତି । ସେହିପରି ପଶ୍ଚିମବଙ୍ଗ ଓ କେରଳ ପରି ରାଜ୍ୟମାନେ ମଧ୍ୟ ଏହାକୁ ଲାଗୁ କରିବେ ନାହିଁ ବୋଲି କହିଛନ୍ତି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ଏହି ଆଇନକୁ ଲାଗୁ କରିବା ନେଇ ଅଗ୍ରାହ୍ୟ କରିବା ପାଇଁ ରାଜ୍ୟମାନଙ୍କ ପାଖରେ ଅଧିକାର ରହିଛି କି? ଭାରତୀୟ ସମ୍ବିଧାନରେ ଏନେଇ କ’ଣ ନିୟମ ରହିଛି । ଯଦି କୌଣସି ରାଜ୍ୟ ଏପରି ନିଷ୍ପତ୍ତି ନିଏ ତେବେ ଏ କ୍ଷେତ୍ରରେ କ’ଣ ସବୁ ସମସ୍ୟା ଆସିବ? ଭାରତୀୟ ସମ୍ବିଧାନର ସପ୍ତମ ଅନୁସୂଚୀରେ ୩ ପ୍ରକାର ଲିଷ୍ଟ ବିଷୟରେ କୁହାଯାଇଛି । ୧- ୟୁନିୟନ ଲିଷ୍ଟ, ୨- ଷ୍ଟେଟ ଲିଷ୍ଟ, ୩- କନକରେଷ୍ଟ ଲିଷ୍ଟ । ପ୍ରଥମଟିରେ କେନ୍ଦ୍ର ସରକାର କେଉଁ ମାମଲାରେ ନିଷ୍ପତ୍ତି ନେବେ ତା’ ଉପରେ କୁହାଯାଇଛି । ଦ୍ୱିତୀୟଟିରେ ରାଜ୍ୟ ସରକାର କେଉଁ ମାମଲାରେ ନିଷ୍ପତ୍ତି ନେଇପାରିବେ ତା’ ଉପରେ କୁହାଯାଇଛି । ତୃତୀୟଟିରେ କେନ୍ଦ୍ର ଓ ରାଜ୍ୟ ନିକଟରେ କ’ଣ ଅଧିକାର ରହିଛି, ଉଭୟେ ମିଶି କାମ କରିବା ଉପରେ କୁହାଯାଇଛି ।

ୟୁନିୟନ ଲିଷ୍ଟରେ ମୋଟ ୯୭ଟି ବିଷୟ ରହିଥିବା ବେଳେ ସେଥିରେ ନାଗରିକତ୍ୱ, ପ୍ରାକୃତିକୀକରଣ ଓ ଆଲିଆନ୍ସ ଆଦି ରହିଛି । ତେଣୁ ନାଗରିକତ୍ୱ ଉପରେ ନିଷ୍ପତ୍ତି ନେବାର ଅଧିକାର କେନ୍ଦ୍ର ସରକାରଙ୍କ ନିକଟରେ ରହିଥିବା ସେଥିରୁ ସ୍ପଷ୍ଟ ହେଉଛି । ଏନେଇ ଲୋକସଭାର ପୂର୍ବତନ ମହାସଚିବ ପିଡିଟି ଆଚାର୍ଯ୍ୟ କହିଛନ୍ତି, ସଂସଦରେ ପାରିତ ହୋଇଥିବା ଆଇନକୁ ଲାଗୁ କରିବା ବ୍ୟତୀତ ରାଜ୍ୟମାନଙ୍କ ନିକଟରେ ଅନ୍ୟ କିଛି ବିକଳ୍ପ ନାହିଁ । ଯଦି ଏହାଦ୍ୱାରା ନାଗରିକଙ୍କ ମୌଳିକ ଅଧିକାରର ଉଲ୍ଲଂଘନ ହେଉଥିବା ନେଇ କୌଣସି ରାଜ୍ୟକୁ ହୃଦବୋଧ ହୁଏ ତେବେ ସେ ସୁପ୍ରିମକୋର୍ଟ ଯାଇ ପାରିବେ ।

ଏହା ମଧ୍ୟରେ ସିଏଏ ବିରୋଧରେ ସୁପ୍ରିମକୋର୍ଟରେ ୨୨୦ଟି ଯାଚିକା ଦାୟର ହୋଇ ସାରିଛି । କେରଳର ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ (ଆଇୟୁଏମଏଲ), ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା, କଂଗ୍ରେସ ନେତା ଜୟରାମ ରମେଶ, ଅଲ ଇଣ୍ଡିଆ ମଜଲିସ-ଏ-ଇତ୍ତେହାଦୁଲ ମୁସଲିମୀନ (ଏଆଇମଆଇଏମ) ନେତା ଅସଦୁଦ୍ଦୀନ ଔବେସୀ, କଂଗ୍ରେସ ନେତା ଦେବବ୍ରତ ସୌକିଆ, ଆସାମୀ ଆଇନଜୀବୀ ସଂଘ ଓ କିଛି ଆଇନ ଛାତ୍ରଙ୍କ ତରଫରୁ ଯାଚିକା ଆଗତ ହୋଇଛି । ସିଏଏ ଜରିଆରେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଆସିଥିଲା ଅଣମୁସଲମାନ ଶରଣାର୍ଥୀଙ୍କୁ ଭାରତର ନାଗରିକତା ପ୍ରଦାନ କରାଯିବ । ୨୦୧୪ ମସିହା ଡିସେମ୍ବର ମାସ ୩୧ ତାରିଖ ପୂର୍ବରୁ ଭାରତକୁ ଆସିଥିବା ହିନ୍ଦି, ଶିଖ, ବୌଦ୍ଧ, ଜୈନ ଓ ପାର୍ସୀ ବା ଖ୍ରୀଷ୍ଟିଆନ ଧର୍ମର ଲୋକଙ୍କୁ ଭାରତର ନାଗରିକତା ପ୍ରଦାନ କରାଯିବ ।