fbpx

ରାତିଅଧରେ ଲେଡିଜ୍‌ ହଷ୍ଟେଲକୁ ପ୍ରବେଶ ଉଦ୍ୟମ କରୁଥିବା ବେଳେ ଧରା ପଡ଼ିଲେ ସ୍ୱର୍ଣ୍ଣ ପଦକ ବିଜେତା

AAKASH

ନୂଆଦିଲ୍ଲୀ: ବିବାଦ ଘେରରେ ଛନ୍ଦି ହୋଇଛନ୍ତି କମନ୍‌ୱେଲ୍ଥ ଗେମ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ଭାରୋତ୍ତୋଳକ ଅଚିନ୍ତ ଶିଉଲୀ। ତେବେ ସେ ରାତିଅଧରେ ଲେଡିଜ୍‌ ହଷ୍ଟେଲ ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ଧରାପଡ଼ିଥିଲେ। ଏବଂ ପରେ ତାଙ୍କୁ ପ୍ୟାରିସ ଅଲିମ୍ପିକ୍ସ ପ୍ରସ୍ତୁତି ଲାଗି ଲଗାଯାଇଥିବା ଜାତୀୟ କ୍ୟାମ୍ପରୁ ବହିଷ୍କାର କରାଯାଇଛି। ଏନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଯାହାକୁ ନେଇ ସାଧାରଣରେ ଅନେକ ଚର୍ଚ୍ଚା ଦେଖିବାକୁ ମିଳିଛି। ତେବେ ଗତ ଗୁରୁବାର ରାତିରେ ଏଭଳି ଏକ ଲଜ୍ୟାଜନକ ଘଟଣା ଘଟିଥିବା କୁହାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟଗୋଷ୍ଠୀ କ୍ରୀଡା ସ୍ୱର୍ଣ୍ଣ ପଦକ ବିଜେତା ୨୨ ବର୍ଷୀୟ ଶିଉଲୀ ଏନ୍‌ଆଇଏସ୍‌ ପଟିଆଲାରେ ରହି ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ଅଭ୍ୟାସ କରୁଥିଲେ। ତେବେ ଗତ ଗୁରୁବାର ରାତିରେ ସେ ଲେଡିଜ୍‌ ହଷ୍ଟେଲ ମଧ୍ୟରେ ପ୍ରବେଶ ପାଇଁ ଉଦ୍ୟମ କରୁଥିବା ବେଳେ ସୁରକ୍ଷାକର୍ମୀଙ୍କ ହାତରେ ଧରା ପଡିଥିଲେ। ଉପସ୍ଥିତ ଥିବା ସୁରକ୍ଷାକର୍ମୀ ଏହି ଘଟଣାର ଭିଡିଓ ମଧ୍ୟ ଉତ୍ତୋଳନ କରିଥିଲେ। ଆଉ ଏହି ଭିଡିଓ ପ୍ରମାଣକୁ ଆଧାର କରି ତାଙ୍କୁ କ୍ୟାମ୍ପରୁ ବହିଷ୍କାର କରାଯାଇଛି। ତେବେ ଏହା ପୂର୍ବରୁ ମଧ୍ୟ ଭାରତୀୟ ଭାରୋତ୍ତୋଳନ ମହାସଂଘ ବିଶୃଙ୍ଖଳିତ ଆଚରଣ ପାଇଁ ଜେରେମି ଲାଲରିନୁଙ୍ଗାଙ୍କୁ ଜାତୀୟ କ୍ୟାମ୍ପରୁ ବିଦା କରିଥିଲା।

ସୂଚନା ଥାଉକି, ଅଚିନ୍ତ ଶିଉଲୀ ୨୦୨୨ରେ ଗେମ୍ସ ରେକର୍ଡ ସହ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ ପଦକ ଜିତି ଖୁବ ପ୍ରଶଂସା ସାଉଁଟିଥିଲେ। କିନ୍ତୁ ଆଜି ନିଜ ଆଚରଣ ପାଇଁ ସେ ଜାତୀୟ କ୍ୟାମ୍ପରୁ ବିଦା ହୋଇଛନ୍ତି। ଯାହା ଦ୍ୱାରା ଅଚିନ୍ତଙ୍କ ଅଲିମ୍ପିକ୍ସ ସ୍ୱପ୍ନ ଏବେ ଧୂଳିସାତ ହୋଇଯାଇଛି।

Get real time updates directly on you device, subscribe now.