fbpx

ପ୍ରଥମଥର ପାଇଁ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମିଳିବ ଡିଜିଟାଲ ସାର୍ଟିଫିକେଟ, ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ

ଭୁବନେଶ୍ୱର: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମିଳିବ ଡିଜିଟାଲ ସାର୍ଟିଫିକେଟ । ପରୀକ୍ଷାର୍ଥୀମାନଙ୍କୁ ପ୍ରଥମ ଥର ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଡିଜିଟାଇଜଡ ସାର୍ଟିଫିକେଟ ପ୍ରଦାନ କରିବ । ତେବେ ପରୀକ୍ଷା ଫଳାଫଳ ପ୍ରକାଶ ପାଇବାର ୭ ଦିନ ମଧ୍ୟରେ ଅନଲାଇନରେ ଏହି ସାର୍ଟିଫିକେଟ ପ୍ରଦାନ କରାଯିବ । ପରୀକ୍ଷାର୍ଥୀମାନେ ଆଡମିଟ କାର୍ଡରେ ଥିବା ରୋଲ ନମ୍ବର ସହାୟତାରେ ନିଜ ନିଜର ଡିଜିଟାଇଜଡ ମାଟ୍ରିକ ସାର୍ଟିଫିକେଟ ଓ ମାର୍କସିଟ୍ ବୋର୍ଡ ୱେବସାଇଟରୁ ଡାଉନଲୋଡ କରିପାରିବେ । ଏହା ବ୍ୟତୀତ ସାର୍ଟିଫିକେଟର ହାର୍ଡ କପି ରେଜଲ୍ଟ ବାହରିବାର ୧ ମାସ ମଧ୍ୟରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଯାଇ ଆଣିପାରିବେ । ଏହି ସମସ୍ତ ସୂଚନା ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ଦେଇଛନ୍ତି ।

ସୂଚନାନୁଯାୟୀ, ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ମାଟ୍ରିକ ଖାତା ମୂଲ୍ୟାୟନ ସଂକ୍ରାନ୍ତରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତରାଇ କହିଛନ୍ତି ଯେ, ପ୍ରଥମ ଥର ପାଇଁ ଏଭଳି ଡିଜିଟାଇଜଡ ସାର୍ଟିଫିକେଟ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ । ତେବେ ମାର୍ଚ୍ଚ ୧୫ ତାରିଖରୁ ୫୫ଟି କେନ୍ଦ୍ରରେ ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ଖାତା ମୂଲ୍ୟାଙ୍କନ ଚାଲିଛି ବୋଲି ଶ୍ରୀ ତରାଇ କହିଛନ୍ତି । ଖାତା ଦେଖା ପାଇଁ ୧୬ ହଜାର ୨୩୫ ଜଣ ଶିକ୍ଷକ ଶିକ୍ଷୟତ୍ରୀ ନିୟୋଜିତ ହୋଇଛନ୍ତି । ଖାତା ଦେଖା କାର୍ଯ୍ୟ ସଂପୂର୍ଣ୍ଣ କରିବା ଲାଗି ୧୫ ଦିନ ସମୟ ଧାର୍ଯ୍ୟ କରାଯାଇଛି । ଅର୍ଥାତ ମାର୍ଚ୍ଚ ୨୮ ସୁଦ୍ଧା ଖାତାଦେଖା ଶେଷ କରିବାକୁ ଯୋଜନା ରହିଛି ।

Get real time updates directly on you device, subscribe now.