fbpx

କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ବେଶ୍ ଖୁସି ମହାଠକ ସୁକେଶ, ତିହାର ଜେଲ୍‌ରୁ ଲେଖିଲା ଏପରି ଚିଠି

ନୂଆଦିଲ୍ଲୀ:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଥିବା ବେଳେ ମହାଠକ ସୁୁକେଶ ତିହାର ଜେଲ୍‌ରୁ କେଜ୍ରିୱାଲଙ୍କ ନାମରେ ଏକ ଚିଠି ଲେଖିଛି । ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ରିମାଣ୍ଡରେ ମିଳିବା ପରେ ସେ ଏହି ଚିଠି ଲେଖିଛି । ସୁକେଶ ଚିଠି ଲେଖି କେଜ୍ରିୱାଲଙ୍କୁ ତିହାର ଜେଲ୍‌କୁ ସ୍ୱାଗତ କରିଛି । ସୁକେଶ ଚିଠିରେ ଲେଖିଛିି, ଡିଅର ବ୍ରଦର, ୱେଲକମ୍ ଟୁ ତିହାର । ସୁକେଶ ଲେଖିଛି ସବୁଥର ପରି ସତ୍ୟର ଜୟ ହୋଇଛି । ଏହା ନୂଆ ଭାରତର ଶକ୍ତିର ଉତ୍କୃଷ୍ଟ ଉଦାହରଣ । କେହି ଏଠି ଆଇନ ଉପରେ ନୁହଁନ୍ତି ।

ମୋ ପ୍ରିୟ ଅରବିନ୍ଦ କେଜ୍ରିୱାଲ ଜୀ, ମୁଁ ଆପଣଙ୍କୁ ସ୍ୱାଗତ କରିବା ପାଇଁ ବେଶ୍ ଉତ୍ସୁକ ରହିଛି । ସୁକେଶ କେଜ୍ରିୱାଲଙ୍କୁ ତିହାର କ୍ଲବର ବସ୍ ବୋଲି କହିଛି । ସେ କହିଛି ଆପଣଙ୍କ ସଚ୍ଚୋଟତାର ଡ୍ରାମା ଏବେ ଶେଷ ହୋଇଯାଇଛି । ସେ ଆହୁରି ଲେଖିଛି କି ମୋର ଜନ୍ମଦିନ ମାର୍ଚ୍ଚ ୨୫ରେ ପଡୁଛି । ଏହିଦିନ ମୁଁ ଡବଲ ସେଲିବ୍ରେସନ କରିବି । କାରଣ ଆପଣଙ୍କ ଗିରଫଦାରୀକୁ ମୁଁ ସବୁଠାରୁ ବଡ ଜନ୍ମଦିନ ଉପହାର ବୋଲି ମାନିବି ।

ସେ ଲେଖିଛି କେଜ୍ରିୱାଲଜୀ ଆପଣଙ୍କ ସମସ୍ତ ୧୦ ଘୋଟାଲା ଏବେ ସାମ୍ନାକୁ ଆସିଯିବ । ଏଥିମଧ୍ୟରୁ ୪ ଘୋଟାଲାରେ ତ ମୁଁ ପ୍ରମୁଖ ସାକ୍ଷୀ । ମୁଁ ଆପଣଙ୍କୁ ପୁରା ବେନକାବ କରି ଛାଡିବି । ଦିଲ୍ଲୀ ଅବକାରୀ ମାମଲା ତ ଆରମ୍ଭ ମାତ୍ର । ଆପଣଙ୍କ ଅହଂକାର, ଆପଣଙ୍କ ମିଛ ଓ ଲୋକଙ୍କ ଭାବନା ସହ ଖେଳିଥିବାରୁ ଆପଣଙ୍କୁ ଉଚିତ ଦଣ୍ଡ ମିଳିଛି । ମୁଁ ଜାଣିଛି ଆପଣଙ୍କ ପାଇଁ ଜେଲ୍ ଯିବା କିଛି ବଡ କଥା ନୁହେଁ କାରଣ ଜେଲ୍ ସଂପୂର୍ଣ୍ଣ ଭାବରେ ଆପଣଙ୍କ ନିୟନ୍ତ୍ରଣରେ । କିନ୍ତୁ ମୁଁ ସବୁକିଛିର ପର୍ଦ୍ଦାଫାଶ କରିଦେବି । ମୁଁ ଜାଣିଛି ଆପଣ ମୋ ବିରୁଦ୍ଧରେ ଅନ୍ତିମ ପ୍ରତିଶୋଧ ନେବେ । ଆପଣ ଓ ଆପଣଙ୍କ ସମସ୍ତ ସହଯୋଗୀ ମୋତେ ମହାଠକ, କନମ୍ୟାନ୍ ବୋଲି କହିଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ କି ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଏବେ ସୁକେଶ ତିହାର ଜେଲ୍‌ରେ ସଜା କାଟୁଛି ।

Get real time updates directly on you device, subscribe now.