ପରଦାକୁ ଫେରିବ ୪୯ ବର୍ଷ ତଳର ପ୍ରେମ ଚିତ୍ର: ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚିତ୍ରଶିଳ୍ପୀ ପ୍ରଦ୍ୟୁମ୍ନ ମହାନନ୍ଦିଆଙ୍କ ପ୍ରେମ କାହାଣୀକୁ ନେଇ ନିର୍ମିତ ହେବ ହଲିଉଡ୍ ଫିଲ୍ମ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚିତ୍ରଶିଳ୍ପୀ ପ୍ରଦ୍ୟୁମ୍ନ କୁମାର ମହାନନ୍ଦିଆଙ୍କ ପ୍ରେମ କାହାଣୀଙ୍କୁ ନିର୍ମିତ ହେବ ହଲିଉଡ୍ ଫିଲ୍ମ । ଏକଦା ନିଜର ନିଆରା ପ୍ରେମ କାହାଣୀକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକର ପ୍ରଦ୍ୟୁମ୍ନଙ୍କୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ପ୍ରଦ୍ୟୁମ୍ନଙ୍କ ପ୍ରେମ କାହାଣୀକୁ ନେଇ ହଲିଉଡ ଫିଲ୍ମ ନିର୍ମାଣ ହେଉଥିବା ବେଳେ ତା’ର ସୁଟିଂ ଅନୁଗୁଳରେ ହେଉଛି । ସେଥିପାଇଁ ଶାନ୍ତିର ବାର୍ତ୍ତା ନେଇ ଓଡ଼ିଶା ଆସିଛନ୍ତି ପ୍ରଦ୍ୟୁମ୍ନ ।
ପ୍ରଦ୍ୟୁମ୍ନଙ୍କ ବପା ଜଣେ ପୋଷ୍ଟ ମାଷ୍ଟର ହୋଇଥିବା ବେଳେ ମାଆ ଥିଲେ ଗୃହିଣୀ । ପ୍ରଦ୍ୟୁମ୍ନ ଝାଟିମାଟି ଘରେ ବଢ଼ିଥିବା ବେଳେ ଅନୁଗଳ ସରକାରୀ ମହାବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ତାଙ୍କର ଚିତ୍ର ଆଙ୍କିବା ପ୍ରତି ଅତ୍ୟଧିକ ଭଲ ପାଇବା ଥିବାରୁ ଜୀବନରେ କିଛି କରିବା ଆଶାରେ ସେ ଖଲ୍ଲିକୋଟ ଓ ଦିଲ୍ଲୀ ଯାତ୍ରା କରିଥିଲେ । ପରେ ସେ ଆର୍ଟ କଲେଜରେ ମାଷ୍ଟର ଡିଗ୍ରୀ କରିବା ସହିତ ଷ୍ଟ୍ରିଟ ଆର୍ଟିଷ୍ଟ ଭାବେ କାମ କରିଥିଲେ । ତେବେ ୧୯୭୫ରେ ସ୍ୱିଡେନ ତରୁଣୀ ତଥା ତଥା ସଙ୍ଗୀତ କଳା ଛାତ୍ରୀ ଚାର୍ଲଙ୍କ ସହ ତାଙ୍କର ଦେଖା ହୋଇଥିଲା । ଚାର୍ଲଙ୍କ ଚିତ୍ର ଆଙ୍କୁ ଆଙ୍କୁ ଦୁହିଁଙ୍କ ମଧ୍ୟରେ ଭଲ ପାଇବା ସୃଷ୍ଟି ହୋଇଥିଲା । ପରେ ଚାର୍ଲ-ପ୍ରଦ୍ୟୁମ୍ନ ପରସ୍ପରଙ୍କୁ ବିବାହ କରିଥିଲେ ।
ତେବେ ଭାରତର ଭିସା ସମାପ୍ତ ହେବା ପରେ ଓଡ଼ିଶାରୁ ଚାର୍ଲ ଫେରି ଯାଇଥିଲେ ସ୍ୱିଡେନ । ୧୯୭୭ରେ ନିଜ ସ୍ତ୍ରୀ ପାଖକୁ ଯିବା ପାଇଁ ପ୍ରଦ୍ୟୁମ୍ନ ଗୋଟିଏ ଭଙ୍ଗା ସାଇକେଲ, କିଛି ରଙ୍ଗତୂଳୀ ଧରି ସ୍ୱିଡେନ ଅଭିମୂଖେ ବାହାରିଥିଲେ । ବହୁ ସଂଘର୍ଷ କରି ପାକିସ୍ତାନ, ଆଫଗାନିସ୍ତାନ, କାବୁଲ, କାନ୍ଦାହାର ଭଳି ଦେଶ ଅତିକ୍ରମ କରି ଶେଷରେ ସ୍ୱିଡେନରେ ପହଞ୍ଚିଥିଲେ ପ୍ରଦ୍ୟୁମ୍ନ । ଏଥିପାଇଁ ତାଙ୍କୁ ୪ ମାସ ୩ ସପ୍ତାହ ସମୟ ଲାଗିଥିଲା । ଦୀର୍ଘ ୪୯ ବର୍ଷ ଧରି ପ୍ରଦ୍ୟୁମ୍ନଙ୍କ ନିଆରା ପ୍ରେମ କାହାଣୀ ଚର୍ଚ୍ଚାରେ ରହିଥିବା ବେଳେ ଏବେ ପୁଣି ସେଇ ପୁରୁଣା ପ୍ରେମ ଚିତ୍ର ପରଦାକୁ ଫେରିବ । ପ୍ରଦ୍ୟୁମ୍ନଙ୍କୁ ନେଇ ସ୍ୱିଡେନ ସାମ୍ବାଦିକ ଆଣ୍ଡର୍ସନ ଏକ ପୁସ୍ତକ ରଚନା କରିଥିବା ବେଳେ ତାହା ବିଭିନ୍ନ ଭାଷାରେ ପ୍ରକାଶିତ ହୋଇ ବହୁଳ ବିକ୍ରି ହୋଇଛି । ଉକ୍ତ ପୁସ୍ତକକୁ ନେଇ ଓସ୍କାର ପୁରସ୍କାରପ୍ରାପ୍ତ ହଲିଉଡ ନିର୍ଦ୍ଦେଶକ ଏକ ଫିଲ୍ମ ନିର୍ମାଣ କରୁଛନ୍ତି । ଉକ୍ତ ଫିଲ୍ମର ଶୁଟିଂ ଛେଣ୍ଡିପଦା ବ୍ଲକର କନ୍ଧପଡ଼ା ଗାଁରେ କରାଯାଉଛି । ଆଜି ବି ପ୍ରଦ୍ୟୁମ୍ନ ଶାନ୍ତିର ବାର୍ତ୍ତା ନେଇ ବିଭିନ୍ନ ଅଞ୍ଚଳ ବୁଲୁଛନ୍ତି । ଓଡ଼ିଆ ପୁଅର ଏଇ ନିଆରା ପ୍ରେମ କାହାଣୀକୁ ଏବେ ସାରା ବିଶ୍ୱବାସୀ ପରଦାରେ ଦେଖିବେ ।