fbpx

ଆନ୍ଧ୍ରପ୍ରଦେଶ; କାହା ପକ୍ଷରେ ଅଛନ୍ତି ଅଲ୍ଲୁ ଅର୍ଜୁନ? ପବନ କଲ୍ୟାଣଙ୍କ ରାଜନୀତିକୁ ନେଇ ବଡ଼ ବୟାନ…

ଅମରାବତୀ: ଏଥର ମଧ୍ୟ ଆନ୍ଧ୍ରପ୍ରଦେଶର ରାଜନୈତିକ ଅସ୍ଥିରତା ଭିତରେ ଫିଲ୍ମ ଷ୍ଟାରଙ୍କ ରୋଚକତା ବଢିଥିବା ଦେଖିବାକୁ ମିଳୁଛି। ଅଭିନେତାରୁ ରାଜନେତା ପାଲଟିଥିବା ପୱନ କଲ୍ୟାଣଙ୍କ ପ୍ରବେଶ ପରେ ଆନ୍ଧ୍ରର ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ଆହୁରି ରୋଚକ ହୋଇଥିଲା। ଏବେ ପୱନ କଲ୍ୟାଣଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରୁ ମଧ୍ୟ ସମର୍ଥନ ମିଳିବା ଆରମ୍ଭ ହୋଇଛି। ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଟୁଇଟ୍ କରି ତାଙ୍କୁ ସମର୍ଥନ କରିବାକୁ କହିଛନ୍ତି। ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ପବନ କଲ୍ୟାଣଙ୍କୁ ଟ୍ୟାଗ୍ କରି ଏକ୍ସରେ ଲେଖିଛନ୍ତି, ‘ତୁମେ ଯେଉଁ ମାର୍ଗ ବାଛିଛ ସେଥିପାଇଁ ମୁଁ ସବୁବେଳେ ଗର୍ବିତ। ପରିବାରର ଜଣେ ସଦସ୍ୟ ହିସାବରେ ମୋର ସ୍ନେହ ଓ ସମର୍ଥନ ସବୁବେଳେ ତୁମ ସହିତ ରହିବ। ତୁମେ ଯାହା ଚାହୁଁଛ ତାହା ହାସଲ କରିବା ପାଇଁ ମୋର ଶୁଭେଚ୍ଛା।”

ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ପୱନ କଲ୍ୟାଣଙ୍କୁ ସମର୍ଥନ କରୁଥିବା କଳାକାରଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହା ପୂର୍ବରୁ ସାଉଥ ଅଭିନେତା ଚିରଞ୍ଜୀବୀ ପବନ କଲ୍ୟାଣଙ୍କ ପାଇଁ ସମର୍ଥନ ପାଇଁ ଏକ ଭିଡିଓ ଜାରି କରିଥିଲେ। ବରୁଣ ତେଜ ଓ ସାଇ ଧରମ ତେଜ ତାଙ୍କ ପାଇଁ ପ୍ରଚାର କରିଥିଲେ। ୧୭୫ ଆସନ ବିଶିଷ୍ଟ ଆନ୍ଧ୍ରପ୍ରଦେଶ ବିଧାନସଭା ପାଇଁ ମେ’ ୧୩ ତାରିଖରେ ମତଦାନ ହେବ ଏବଂ ଜୁନ୍ ୨ ତାରିଖରେ ଭୋଟ୍ ଗଣତି ହେବ। ଏଠାରେ ବିଜେପି, ଚନ୍ଦ୍ରବାବୁ ନାଇଡୁଙ୍କ ଦଳ ଟିଡିପି ଏବଂ ପୱନ କଲ୍ୟାଣଙ୍କ ଜନସେନା ପାର୍ଟି ଏକାଠି ଲୋକସଭା ଓ ବିଧାନସଭା ନିର୍ବାଚନ ଲଢୁଛନ୍ତି।

ଆନ୍ଧ୍ରପ୍ରଦେଶର ୨୫ଟି ଲୋକସଭା ଆସନରୁ ଟିଡିପି ୧୭ଟି, ବିଜେପି ୬ଟି ଏବଂ ଜନସେନା ପାର୍ଟି ୨ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି। ବିଧାନସଭା ନିର୍ବାଚନ ବିଷୟରେ କହିବାକୁ ଗଲେ ଟିଡିପି ୧୪୪, ବିଜେପି ୧୦ ଏବଂ ଜନସେନା ପାର୍ଟି ୨୧ ଟି ଆସନରେ ଲଢିବେ।

Get real time updates directly on you device, subscribe now.