କିଏ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉତ୍ତରାଧିକାରୀ, କେଜ୍ରିୱାଲଙ୍କ ପ୍ରଶ୍ନରେ ପ୍ରଧାନମନ୍ତ୍ରୀ ରଖିଲେ ଏପରି ଉତ୍ତର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିର୍ବାଚନୀ ଗସ୍ତରେ ପଶ୍ଚିମବଙ୍ଗ ଯାଇଛନ୍ତି । ଏହି କ୍ରମରେ ସେ ଆଜି ହୁଗୁଳିରେ ଏକ ନିର୍ବାଚନ ର‌୍ୟାଲିକୁ ସମ୍ବୋଧନ କରି କହିଛନ୍ତି ଦେଶର ଭରସା ବିଜେପି, ପଦ୍ମ ଓ ମୋଦୀଙ୍କ ଉପରେ ରହିଛି । ଏହି ସମୟରେ ସେ ଅରବିନ୍ଦ କେଜ୍ରିୱାଲଙ୍କ ଟିପ୍ପଣୀ ଉପରେ ବି ଜବାବ ରଖିଛନ୍ତି ।

ଶନିବାର ଆପ୍‌ର କାର୍ଯ୍ୟାଳୟରେ ଏକ ସଭାକୁ ସମ୍ବୋଧିତ କରି କେଜ୍ରିୱାଲ କହିଥିଲେ, ପ୍ରଧାନମନ୍ତ୍ରୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଲାଗି ଭୋଟ ମାଗୁଛନ୍ତି । ମୋଦୀଜୀଙ୍କୁ ଆଗାମୀ ବର୍ଷ ସେପ୍ଟେମ୍ବର ୧୭କୁ ୭୫ ବର୍ଷ ହେବ । ୨୦୧୪ରେ ମୋଦୀଜୀ ନିୟମ କରିଥିଲେ କି ବିଜେପିରେ ଯାହାକୁ ୭୫ ବର୍ଷ ହୋଇଯିବ ତାଙ୍କୁ ଅବସର ଦିଆଯିବ । କେଜ୍ରିୱାଲ ଦାବୀ କରିଛନ୍ତି କି ଅମିତ ଶାହ ପ୍ରଧାନମନ୍ତ୍ରୀଙ୍କ ଉତ୍ତରାଧିକାରୀ ହେବେ । ତେବେ କେଜ୍ରିୱାଲଙ୍କ ଏହି କଥାର ଜବାବ ପ୍ରଧାନମନ୍ତ୍ରୀ ଆଜି ହୁଗୁଳିରେ ରଖିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ମୋଦୀର ଉତ୍ତରାଧିକାରୀ ହେଉଛନ୍ତି ସମସ୍ତ ଦେଶବାସୀ । ଦେଶବାସୀଙ୍କ ବିନା ମୋର ଏ ଦୁନିଆରେ କେହି ବି ନାହାନ୍ତି । ସେ କହିଛନ୍ତି ଆପଣମାନଙ୍କ ଲାଗି ବିକଶିତ ଭାରତ ନିର୍ମାଣ କରିବି । ବିରୋଧୀ କେବଳ ଜନତାଙ୍କୁ ଲୁଟୁଛନ୍ତି । ସେମାନେ ନିଜର ଉତ୍ତରାଧିକାରୀ ପାଇଁ ସଂପତ୍ତି ଓ ମହଲ ନିର୍ମାଣ କରି ରଖୁଛନ୍ତି । ସେ କହିଛନ୍ତି ବିରୋଧୀ ନିଜର ଉତ୍ତରାଧିକାରୀଙ୍କ ପାଇଁ ଏହି ସମସ୍ତ ଜିନିଷ ତିଆରି କରୁଥିବା ବେଳେ ମୁଁ ବି ମୋ ଉତ୍ତରାଧିକାରୀଙ୍କ ପାଇଁ ପକ୍କା ଘର ନିର୍ମାଣ କରୁଛି । ସମ୍ବୋଧନ ସମୟରେ ପ୍ରଧାନମନ୍ତ୍ରୀ ନିଜ ସରକାରର ସମସ୍ତ ଯୋଜନା ବିଷୟରେ ବି ମତ ରଖିିଛନ୍ତି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ପଶ୍ଛିମବଙ୍ଗର ଜନତାଙ୍କୁ ୫ ଗ୍ୟାରେଣ୍ଟି ବି ଦେଇଛନ୍ତି ।