ଏ କ’ଣ! ତାୱାରେ ଡିଜେଲ ଢାଳି ପରଟା ପ୍ରସ୍ତୁତ କରୁଛନ୍ତି ଜଣେ ଯୁବକ, ଯିଏ ଦେଖିଲା ସିଏ ରାଗିଲା

ନୂଆଦିଲ୍ଲୀ: ଆଜିର ସୋସିଆଲ ମିଡ଼ିଆ ଯୁଗରେ ଅନେକ ସମୟରେ କିଛି ଅଜବ ପ୍ରକାରର ଘଟଣା ସାମ୍ନାକୁ ଆସିଥାଏ । କିଛି ଲୋକ ରାତାରାତି ପ୍ରସିଦ୍ଧି ଅର୍ଜନ କରିବା ଲକ୍ଷ୍ୟରେ ଏପରି କିଛି ଅଜବ ହରକତ କରିଥାନ୍ତି । ତେବେ ଏହା ମଧ୍ୟରେ ଏକ ନୂଆ କଥା ଦେଖିବାକୁ ମିଳିଛି । ସାଧାରଣ ଭାବେ ତେଲ ବା ଘିଅରେ ପରଟା ପ୍ରସ୍ତୁତ କରାଯାଇଥାଏ । ମାତ୍ର ଯଦି ଜଣେ ଗନ୍ଧ ହେଉଥିବା ଡିଜେଲ ପକାଇ ପରଟା ପ୍ରସ୍ତୁତ କରିବ ତେବେ ଏହି ଦୃଶ୍ୟକୁ ଦେଖିବା ପରେ ଆପଣ କ’ଣ କହିବେ?

ଏହା ମଧ୍ୟରେ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଜଣେ ଦୋକାନୀ ତାୱାରେ ଡିଜେଲ ଢାଳି ପରଟା ପ୍ରସ୍ତୁତ କରୁଥିବା ଦେଖାଯାଉଛି । ଡିଜେଲ ଗରମ ହେବା ପରେ ପରଟା ଫୁଟିବା ସହିତ ଶେଷରେ ପୋଡ଼ି ଯାଉଥିବା ବ୍ୟକ୍ତି ଜଣଙ୍କ ଦେଖାଯାଉଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି, ଏହି ଦୃଶ୍ୟକୁ ଦେଖିବା ପରେ ଲୋକଙ୍କର କ୍ରୋଧ ବହୁଗୁଣିତ ହୋଇଯାଇଛି । ଡିଜେଲ ପକାଇ ପରଟା ପ୍ରସ୍ତୁତ କରୁଥିବା ଯୁବକ ଜଣଙ୍କ ପାଗଳ ହୋଇଯାଇଛନ୍ତି ବୋଲି ଜଣେ ୟୁଜର ଲେଖିଛନ୍ତି । ସେହିପରି ଏପରି ପରଟାବାଲାଙ୍କୁ ଜେଲ ପଠାଇବାକୁ ଆଉ ଜଣେ ୟୁଜର ଲେଖିଛନ୍ତି । ତେବେ ଏହା ତେଲ ନୁହେଁ ଡିଜେଲ ବୋଲି ଫୁଡ୍ ବ୍ଲଗର ଜଣଙ୍କ କହୁଥିବା ଶୁଣାଯାଇଥିଲା । ଏହାପରେ ପରଟାବାଲା କହିଥିଲେ, ‘ଆପଣମାନେ ଥରେ ଏହାକୁ ଖାଇଲା ପରେ ବାରମ୍ବାର ଖାଇବାକୁ କହିବେ ।’