fbpx

ଶେଷ ସମୟରେ ମିଳିଲା ଟିକେଟ୍‌, ପ୍ରଚାର ପାଇଁ ଥିଲା କମ୍ ସମୟ ତଥାପି ୪୮ଟି ଭୋଟରେ ଜିତିଲେ ଏହି ପ୍ରାର୍ଥୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଫଳାଫଳ ସ୍ପଷ୍ଟ ହୋଇଯାଇଛି । ଏନେଇ ଉଭୟ ସାଧାରଣ ଜନତା ଏବଂ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା, ନେତା ଓ ମନ୍ତ୍ରୀଙ୍କ ମଧ୍ୟରେ ଉତ୍ସାହ ତ’ କେଉଁଠି ନିରାଶା ଦେଖିବାକୁ ମିଳିଛି । ଏଥିମଧ୍ୟରେ ମୁମ୍ବାଇର ଉତ୍ତର ପଶ୍ଚିମ ଲୋକସଭା ଆସନରୁ ଶିବସେନା(ଏକନାଥ ଶିନ୍ଦେ ଦଳ)ର ପ୍ରାର୍ଥୀ ରବିନ୍ଦ୍ର ୱାଇକର(Ravindra Waikar) ମାତ୍ର ୪୮ ଭୋଟରେ ବିଜୟୀ ହୋଇଛନ୍ତି । ଲୋକସଭା ନିର୍ବାଚନ ୨୦୨୪ ପାଇଁ ମହାରାଷ୍ଟ୍ରରେ ଏହା ହେଉଛି ବିଜୟର ସବୁଠାରୁ ଛୋଟ ବ୍ୟବଧାନ ।

ନିର୍ବାଚନ ଆୟାଗର ତଥ୍ୟ ଅନୁଯାୟୀ ୱାଇକରଙ୍କୁ ମୁମ୍ବାଇ ଉତ୍ତର ପଶ୍ଚିମ ଲୋକସଭା ଆସନରୁ ୪ ଲକ୍ଷ ୫୨ ହଜାର, ୬୪୪ ଭୋଟ୍ ମିଳିଛି । ସେହିପରି ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଶିବସେନା(ୟୁବିଟି) ପ୍ରାର୍ଥୀ ଅମୋଲ କାର୍ତ୍ତିକରଙ୍କୁ ୪ ଲକ୍ଷ ୫୨ ହଜାର ୫୯୬ ଭୋଟ୍ ମିଳିଛି । ରବିନ୍ଦ୍ର ୱାଇକର ତାଙ୍କ ପ୍ରତିଦ୍ୱନ୍ଦୀକୁ ମାତ୍ର ୪୮ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି । ଏହି ବିଜୟ ପରେ ସେ କହିଥିଲେ,‘ଗଣତନ୍ତ୍ରରେ ଗୋଟିଏ ଗୋଟିଏ ଭୋଟର ମୂଲ୍ୟ ରହିଛି । ବାଜପେୟୀ ଜୀଙ୍କ ସରକାର ଗୋଟିଏ ଭୋଟରୁ ହାରି ଥିଲା । ମୁଁ କହିଥିଲି ଲଢ଼ିବି ଏବଂ ଜିତିବି । ତାହା ହିଁ ହେଲା । ମୁଁ ମହାରାଷ୍ଟ୍ର, ମୁମ୍ବାଇ ଏବଂ ଦେଶର ସେବା କରିବା ପାଇଁ ବ୍ରତ ନେଇଛି । ମୋତେ ଭଗବାନ ଯେଉଁ ପଥ ଦେଖାଇଛନ୍ତି ସେଥିରେ ଜିତିବାକୁ ପଡ଼ିବ । ଯଦି ଜିତିବାର ଅଛି ତେବେ ଭଲ କାମ କରିବାକୁ ପଡ଼ିବ ।’ ମୁମ୍ବାଇର ଯୋଗେଶ୍ୱରୀ ପୂର୍ବ ଆସନରୁ ବିଧାୟକ ଥିବା ୱାଇକର ଚଳିତ ବର୍ଷ ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାରେ ଯୋଗ ଦେଇଥିଲେ । ପରେ ତାଙ୍କୁ ଶେଷ ମୁହୂର୍ତ୍ତରେ ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା । ଅପରପକ୍ଷରେ ମତଗଣନାର ଟ୍ରେଣ୍ଡରେ ଉଭୟ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ୨୦୦୯, ୨୦୧୪ ଏବଂ ୨୦୧୯ରେ କ୍ରମାଗତ ଭାବେ ୱାଇକର ବିଧାନସଭା ପାଇଁ ନିର୍ବାଚିତ ହୋଇଥିଲେ । ୨୦୧୪ରେ ତାଙ୍କୁ ମହାରାଷ୍ଟ୍ରର ଉଚ୍ଚ ଏବଂ ବୈଷୟିକ ଶିକ୍ଷା ରାଜ୍ୟ ମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ ।

Get real time updates directly on you device, subscribe now.