fbpx

ଏସିଆର ପ୍ରଥମ ଲୋକୋ ପାଇଲଟ ସୁରେଖା ଯାଦବଙ୍କୁ ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ମିଳିଳା ନିମନ୍ତ୍ରଣ, ଜାଣନ୍ତୁ ସେ କିଏ ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୯ରେ କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ଅନେକ ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ ଦିଆଯାଇଛି । ଏଥିମଧ୍ୟରେ ଏସିଆର ପ୍ରଥମ ଲୋକୋ ପାଇଲଟ ମଧ୍ୟ ସାମିଲ ଅଛନ୍ତି ।

ଭାରତୀୟ ରେଳବାଇର ପ୍ରଥମ ଲୋକୋ ପାଇଲଟ୍ ସୁରେଖା ଯାଦବ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ । ସେ କେବଳ ଭାରତର ନୁହେଁ ବରଂ ଏସିଆର ପ୍ରଥମ ଲୋକୋ ପାଇଲଟ୍ ଭାବେ ବେଶ ପରିଚିତ । ଏନେଇ ମଧ୍ୟ ରେଳବାଇ ଶୁକ୍ରବାର ସୁରେଖା ଯାଦବଙ୍କ ନିମନ୍ତ୍ରଣ ବିଷୟରେ ସୂଚନା ଦେଇଥିଲା । ରେଳବାଇ ପ୍ରବକ୍ତାଙ୍କ କହିବାନୁଯାୟୀ ରେଳବାଇର ୧୦ ଜଣ ଲୋକୋ ପାଇଲଟଙ୍କୁ ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବା ପାଇଁ ପିଏମଓ ଅଫିସ ତରଫରୁ ନିମନ୍ତ୍ରଣ ମିଳିଛି ।

ସୁରେଖା ଯାଦବ କିଏ ?

ସୁରେଖା ଯାଦବଙ୍କ ପ୍ରକୃତ ନାଁ ହେଉଛି ସୁରେଖା ଭୋସଲେ । ସେ ମହାରାଷ୍ଟ୍ରର ପଶ୍ଚିମ ସତାରାର ବାସିନ୍ଦା । ୧୯୮୮ ମସିହାରେ ସେ ଭାରତର ପ୍ରଥମ ମହିଳା ଟ୍ରେନ୍ ଡ୍ରାଇଭର ହୋଇଥିଲେ । କିଛି ବର୍ଷ ହେବ ରେଳବାଇ ପକ୍ଷରୁ ଟ୍ରେନ୍ ଡ୍ରାଇଭର ନାଁ ପରିବର୍ତ୍ତନ କରାଯାଇ ଲୋକୋ ପାଇଲଟ୍ ରଖାଯାଇଛି । ସୁରେଖା ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସରୁ ବନ୍ଦେ ଭାରତ ଟ୍ରେନ୍ ସଂଚାଳନ କରୁଛନ୍ତି । ସେ ଦେଶର ବିଳାସପୂର୍ଣ୍ଣ ଟ୍ରେନ୍ ଡିକାନ୍ କୁଇନ୍ ମଧ୍ୟ ଚଲାଇଛନ୍ତି । ବିଶେଷ କରି ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଚଳାଚଳ କରୁଥିବା ଏହି ଟ୍ରେନ୍ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକର ପଶ୍ଚିମ ଘାଟର ସୁନ୍ଦର ଦୃଶ୍ୟ ପରିଦର୍ଶନ କରାଇଥାଏ । ଏହି ଟ୍ରେନ୍ ଚଲାଇବା ପାଇଁ କେବଳ ଅନୁଭବି ଡ୍ରାଇଭରଙ୍କୁ ଅନୁମତି ମିଳିଥାଏ ।

ତେବେ ସୁରେଖା ଯାଦବଙ୍କ ସ୍ୱାମୀଙ୍କ ନାଁ ହେଉଛି ଶଙ୍କର ଯାଦବ । ଶଙ୍କର ମହାରାଷ୍ଟ୍ର ପୋଲିସରେ ଇନ୍ସପେକ୍ଟର ଅଛନ୍ତି । ଦମ୍ପତ୍ତିଙ୍କ ଦୁଇଟି ପୁତ୍ର ସନ୍ତାନ ଅଛନ୍ତି । ଅପରପକ୍ଷରେ ସୁରେଖାଙ୍କୁ ରାଜ୍ୟ ଏବଂ ଜାତୀୟ ସ୍ତରରେ ଅନେକ ପୁରସ୍କାର ମିଳିଛି । ରେଳବାଇ ପକ୍ଷରୁ ତାଙ୍କୁ ଅନେକଥର ମୋଟିଭେସନାଲ କାର୍ଯ୍ୟକ୍ରମରେ ମଧ୍ୟ ପଠାଯାଇଥାଏ । ବର୍ତ୍ତମାନ ସେ କଲ୍ୟାଣରେ ରେଳବାଇ ଡ୍ରାଇଭର ଟ୍ରେନିଂ ସ୍କୁଲରେ ବରିଷ୍ଠ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି ।

Get real time updates directly on you device, subscribe now.