ଓଡ଼ିଶାକୁ ମିଳିବ ୩ଟି ମନ୍ତ୍ରୀପଦ! ମୋଦୀ ୩.୦ କ୍ୟାବିନେଟକୁ ନେଇ ରାଜନୈତିକ ମହଲରେ ବଡ଼ ଚର୍ଚ୍ଚା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଶପଥ ଗ୍ରହଣ ପୂର୍ବରୁ କ୍ୟାବିନେଟରେ ସାମିଲ ହେବାକୁ ଥିବା ମନ୍ତ୍ରୀମାନଙ୍କ ନିକଟକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ତରଫରୁ ଫୋନ୍ କଲ୍ ଯାଇଛି । ରାଜନାଥ ସିଂହ, ନୀତିନ ଗଡ଼କରୀ, ପ୍ରହଲ୍ଲାଦ ଯୋଶୀ, ଜୀତନରାମ ମାଂଝୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଜୟନ୍ତ ଚୌଧରୀ, ଅନୁପ୍ରିୟା ପଟେଲ, ଅର୍ଜୁନରାମ ମେଘୱାଲ, ଚିରାଗ ପାଶୱାନ, ଜେଡିୟୁର ରାମନାଥ ଠାକୁର, ଟିଡିପିର ରାମମୋହନ ନାଇଡ଼ୁ ଓ ଡ. ଚନ୍ଦ୍ରଶେଖରଙ୍କ ନିକଟକୁ ଫୋନ୍ କଲ୍ ଯାଇଥିବା ସୂଚନା ମିଳିଛି ।

ତେବେ ଏଥର ବିଜେପି ଓଡ଼ିଶାରୁ ୨୦ଟି ଲୋକସଭା ଆସନ ପାଇଥିବାରୁ ମୋଦୀ କ୍ୟାବିନେଟରେ ଓଡ଼ିଶାର କିଛି ସାଂସଦଙ୍କୁ ମନ୍ତ୍ରୀମଦ ମିଳିପାରେ । ଏଥର ଓଡ଼ିଶାର ଅତିକମରେ ୩ ଜଣ ସାଂସଦଙ୍କୁ ମନ୍ତ୍ରୀ କରାଯାଇପାରେ । ସେମାନଙ୍କ ମଧ୍ୟରେ ଚର୍ଚ୍ଚାର ସର୍ବାଗ୍ରେ ରହିଛନ୍ତି ଜୁଏଲ ଓରାମ, ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ଅପରାଜିତା ଷଡ଼ଙ୍ଗୀଙ୍କ ନାମ ରହିଛି । ତେବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ରେସରେ ଧର୍ମେନ୍ଦ୍ରଙ୍କ ନାମ ଆଗରେ ରହିଥିବାରୁ ଅନ୍ୟ ୪ ଜଣଙ୍କ ମଧ୍ୟରୁ କାହାକୁ ବି ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ ।

ସେହିପରି ଲୋକସଭାର ପରବର୍ତ୍ତୀ ବାଚସ୍ପତି ପଦ ପାଇଁ ଚଳିତ ଥର କଟକ ଲୋକସଭା ଆସନରୁ ବିଜୟୀ ହୋଇଥିବା ଭର୍ତ୍ତୃହରି ମହତାବଙ୍କୁ ନେଇ ଚର୍ଚ୍ଚା ହେଉଛି । ଏଥିସହିତ ରାଜ୍ୟର ମୋଟ ୨୧ଟି ସଂସଦୀୟ କ୍ଷେତ୍ର ମଧ୍ୟରୁ ୨୦ଟିରେ ବିଜୟୀ ହୋଇଥିବା ସାଂସଦଙ୍କ ମଧ୍ୟରୁ କାହାକୁ ବି କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ । ଆଜି ସବୁ କିଛି ସ୍ପଷ୍ଟ ହୋଇଯିବ ।

Get real time updates directly on you device, subscribe now.