fbpx

କେନ୍ଦ୍ର ସରକାର ଜାରି କଲେ ମେମୋରାଣ୍ଡମ୍: ଜୁଲାଇ ୧ରୁ ଲାଗୁ ହେବ ୩ଟି ଅପରାଧିକ ଆଇନ୍

ନୂଆଦିଲ୍ଲୀ: ଜୁଲାଇ ପହିଲାରୁ ଦେଶରେ ତିନୋଟି ଅପରାଧିକ ଆଇନ (କ୍ରିମିନାଲ ଲ’) ଲାଗୁ ହେବ । ଏନେଇ କେନ୍ଦ୍ର ସରକାରଙ୍କ ତରଫରୁ ମେମୋରାଣ୍ଡମ୍ ଜାରି କରାଯାଇଛି । ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ସୁଧାର ଆଣିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏହି ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । ତିନି ନୂଆ ଆଇନ ମଧ୍ୟରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ), ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନଏସଏସ) ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ (ବିଏସଏ) ରହିଛି । ଏହି ୩ଟି ଆଇନ ଗତବର୍ଷ ଅଗଷ୍ଟ ମାସ ମୌସୁମୀ ଅଧିବେଶନ ଅବସରରେ ସଂସଦରେ ଆଗତ କରାଯାଇଥିଲା ।

ଏହି ତିନୋଟି ଅପରାଧିକ ଆଇନ ଯଥାକ୍ରମେ ଭାରତୀୟ ଦଣ୍ଡ ସଂହିତା (ଆଇପିସି), ଦଣ୍ଡ ପ୍ରକ୍ରିୟା ସଂହିତା (ସିଆରପିସି) ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ୧୮୭୨ର ସ୍ଥାନ ନେବେ । ୧୬୩ ବର୍ଷର ପୁରୁଣା ଭାରତୀୟ ଦଣ୍ଡ ସଂହିତା (ଆଇପିସି) ବଦଳରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ ଲାଗୁ ହେବା ଫଳରେ ଦଣ୍ଡ ସହ ଜଡ଼ିତ ମାମଲାରେ ଅନେକ ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିବ । ବିଏନଏସର ଏକ ଖାସ୍ କଥା ହେଉଛି ଯେ, ଧାରା ୪ ଅଧିନରେ ଦଣ୍ଡ ଭାବେ ଏବେ ସମୁଦାୟ ସେବାକୁ ମଧ୍ୟ ସାମିଲ କରାଯାଇଛି ।

ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନଏସଏସ) ଲାଗୁ ହେବା ଫଳରେ ଅପରାଧର ଯାଞ୍ଚ ପ୍ରକ୍ରିୟାରେ ପରବର୍ତ୍ତନ ଆସିବ । ୧୯୭୩ର ଦଣ୍ଡ ପ୍ରକ୍ରିୟା ସଂହିତା (ସିଆରପିସି) ସ୍ଥାନରେ ଏହାକୁ ଲାଗୁ କରାଯିବ । ବିଏନଏସଏସ ଆଇନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି । ସେଥିରେ ବିରାରାଧାନୀ କଏଦୀଙ୍କ ସହ ଜଡ଼ିତ ଏକ ଆଇନକୁ ପରିବର୍ତ୍ତନ କରାଯାଇଛି । ସେହିପରି ପୁରୁଣା ସାକ୍ଷ୍ୟ ଆଇନ ସ୍ଥାନରେ ଏବେ ଭାରତୀୟ ସାକ୍ଷ୍ୟ ଅଧିନିୟମ (ବିଏସଏ) ଲାଗୁ ହେବ । ସେଥିରେ ଇଲେକ୍ଟ୍ରୋନିକ ପ୍ରମାଣ ସହ ମାମଲାରେ କିଛି ପରିବର୍ତ୍ତନ କରାଯାଇଛି । ଏହା ଇଲେକ୍ଟ୍ରୋନିକ ପ୍ରମାଣ ନିୟମକୁ ସହଜ କରିବା ସହ ଏପରି ପ୍ରମାଣକୁ ଦେଖାଇବାର ତରିକାକୁ ଅଧିକ ସ୍ପଷ୍ଟ କରେ ବୋଲି ଏନଏଲଏସଆଇୟୁ ୟୁନିଭରସିଟିର ଜଣେ ପ୍ରଫେସର କହିଛନ୍ତି ।

Get real time updates directly on you device, subscribe now.