fbpx

(Video) ଭାରତୀୟ ସଂସ୍କୃତି ‘ନମସ୍ତେ’କୁ ଆପଣାଇଲା ବିଶ୍ୱ: ଜି-୭ ଶିଖର ସମ୍ମିଳନୀରେ ଦେଖିବାକୁ ମିଳିଲା ଏକ ନିଆରା ଦୃଶ୍ୟ

ନୂଆଦିଲ୍ଲୀ: ଭାରତର ଇତିହାସ ମହାନ୍ । ଭାରତରେ ବସବାସ କରୁଥିବା ଲୋକଙ୍କର ଖାଦ୍ୟପେୟ, ବେଶଭୂଷା, କଥାବାର୍ତ୍ତା, ଚାଲିଚଳନ ବେଶ୍ ମାର୍ଜିତ ଓ ପରମ୍ପରାଗତ । ସେଥିପାଇଁ ବିଶ୍ୱର କୋଣ ଅନୁକୋଣର ବହୁ ବଡ଼ ବଡ଼ ରାଷ୍ଟ୍ର ନେତାମାନେ ଭାରତୀୟ ସଂସ୍କୃତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବହୁ ସମୟରେ ପ୍ରଶଂସା କରିଥାନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ନେତାଙ୍କ ସହ ସାକ୍ଷାତ କରିବା ସମୟରେ କରମର୍ଦ୍ଦନ ନକରି ‘ନମସ୍ତେ’ କରିଥାନ୍ତି । ଭାରତୀୟ ସଂସ୍କୃତି ନମସ୍ତେର ଝଲକ ଏବେ ଇଟାଲିରେ ଆୟୋଜିତ ହୋଇଥିବା ଜି-୭ ଶିଖର ସମ୍ମିଳନୀରେ ଦେଖିବାକୁ ମିଳିଛି ।

ଜି-୭ ଶିଖର ସମ୍ମିଳନୀରେ ଭାଗନେବାକୁ ପ୍ରଧାନମନ୍ତ୍ରୀ ମୋଦୀ ଇଟାଲିରେ ପହଞ୍ଚିଥିବା ବେଳେ ଏହି ଅବସରରେ ତାଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନୀ ସ୍ୱାଗତ କରିଥିଲେ । ତେବେ ଦୁଇ ରାଷ୍ଟ୍ର ମୁଖ୍ୟ ପରସ୍ପରଙ୍କୁ ନମସ୍ତେ ମାଧ୍ୟମରେ ସ୍ୱାଗତ କରିଥିଲେ । ଏହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହା ପ୍ରଥମ ଦୃଶ୍ୟ ନୁହେଁ, ବିଭିନ୍ନ ଦେଶର ରାଷ୍ଟ୍ର ମୁଖ୍ୟଙ୍କ ସହିତ ଇଟାଲୀ ପ୍ରଧାନମନ୍ତ୍ରୀ ମେଲୋନୀ ନମସ୍ତେ କରୁଥିବା ଦେଖାଯାଇଥିଲା । ଏନେଇ ଗତକାଲି ମଧ୍ୟ କିଛି ଭିଡିଓ ସାମ୍ନାକୁ ଆସିଥିଲା । ଭାରତୀୟ ସଂସ୍କୃତିକୁ ଏବେ ବିଭିନ୍ନ ଦେଶ ଖୁସି ଭରା ହୃଦୟରେ ଗ୍ରହଣ କରୁଥିବା ବେଳେ ନମସ୍ତେ ଧୀରେଧୀରେ ଲୋକପ୍ରିୟ ହେବାରେ ଲାଗିଛି ।

ଏହି ସମ୍ମିଳନୀରେ ପହଞ୍ଚିବା ପୂର୍ବରୁ ପିଏମ୍ ମୋଦୀ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ସାକ୍ଷାତ କରିଥିଲେ । ଗତକାଲି ଜି-୭ ନେତାମାନଙ୍କର ମିଟିଂ ହୋଇଥିଲା । ସେଥିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ, କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ, ଜର୍ମାନ ଚାନ୍ସେଲର ଓଲାଫ ସ୍କୋଲଜ, ଫ୍ରାନ୍ସ ରାଷ୍ଟ୍ରପତି, ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦୋ, ୟୁରୋପୀୟ ଆୟୋଗ ଅଧୟକ୍ଷ ଉର୍ସୁଲା ବାନ ଡେର ଲେୟେନ ଓ ୟୁରୋପୀୟ ପରିଷଦ ଅଧ୍ୟକ୍ଷ ଚାର୍ଲ୍ସ ମିଶେଲ ସାମିଲ ହୋଇଥିଲେ ।

Get real time updates directly on you device, subscribe now.